ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ମନ୍ଦିର ନିକଟସ୍ଥ ଝରଣା ଉପରେ ଗୁରୁବାର ସନ୍ଧ୍ୟାରେ ଏକ ବିରାଟ ଆମ୍ବ ଗଛ ଭାଙ୍ଗିପଡ଼ିଛି। ଲଗାଣ ବର୍ଷା ଯୋଗୁଁ ଝରଣାର ସେଲାପଥର ନିକଟରେ ଥିବା ଏହି ବିଶାଳ ଗଛଟି ହଠାତ୍ ଭାଙ୍ଗିପଡ଼ିବାରୁ ଝରଣା ଉପରେ ଅବରୋଧ ସୃଷ୍ଟି ହୋଇଛି। ଗଛଟି ଭାଙ୍ଗିପଡ଼ିବା ସମୟରେ ଝରଣା କୂଳରେ ଥିବା ଏକ ଛୋଟ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ବିରାଟ ଗଛଟି ଝରଣା ଉପରେ ପଡ଼ିରହିଛି। ତେବେ ଘଟଣା ସମୟରେ ସନ୍ଧ୍ୟା ହୋଇଥିବା ସହ ଲଗାଣ ବର୍ଷା ଜାରି ରହିଥିବାରୁ ଝରଣା କୂଳରେ ପର୍ଯ୍ୟଟକ କିମ୍ବା ଅନ୍ୟ କେହି ଉପସ୍ଥିତ ନଥିଲେ। ଫଳରେ ଏକ ବଡ଼ ଅଘଟଣରୁ ଲୋକେ ବର୍ତ୍ତିଯାଇଥିବା କୁହାଯାଉଛି। ଗଛଟି ଭାଙ୍ଗିପଡ଼ିବାର ଭୟଙ୍କର ଶବ୍ଦରେ ଆଖପାଖରେ ଥିବା ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇପଡ଼ିଥିଲେ। ତେବେ ଘଟଣାରେ କୌଣସି ଜୀବନହାନି ଘଟିନଥିବା ଜଣାପଡ଼ିଛି। ଝରଣା ଉପରେ ପଡ଼ିରହିଥିବା ଗଛକୁ ତୁରନ୍ତ ହଟାଇବା ସହ କ୍ଷତିଗ୍ରସ୍ତ ମନ୍ଦିରର ମରାମତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
