ଖପ୍ରାଖୋଲ: ପାଟଣାଗଡ଼ସ୍ଥିତ ରମାଇ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ଏଥଲେଟିକ୍ ୨୦୨୬ ଚମ୍ପିୟନସିପ୍ରେ ଖପ୍ରାଖୋଲ ବ୍ଲକର କ୍ରୀଡ଼ା ପ୍ରତିଭା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବ୍ଲକରୁ ମନୋନୀତ ୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣ ବିଭିନ୍ନ ଇଭେଣ୍ଟରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ମୋଟ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ଖପ୍ରାଖୋଲ ବ୍ଲକ ସମେତ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଗୌରବର ବିଷୟ ପାଲଟିଛି। ଅଣ୍ଡର-୧୪ ବାଳିକା ବର୍ଗରେ ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଧରିତ୍ରୀ ନାଗ ୬୦୦ ମିଟର, ୨୦୦ ମିଟର ଦୌଡ଼ ଓ ଲମ୍ବ ଡିଆଁରେ ପ୍ରଥମ ସ୍ଥାନ ଅଧିକାର କରି ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେହି ବର୍ଗରେ ଚିନ୍ମୟୀ ପୁଟେଲ ଉଚ୍ଚ ଡିଆଁରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଅଣ୍ଡର-୧୪ ବାଳକ ବର୍ଗରେ ଶଙ୍କର ଥନାପତି ଉଚ୍ଚ ଡିଆଁରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରୋଶନ ହରିପାଳ ଉଚ୍ଚ ଡିଆଁରେ ଦ୍ୱିତୀୟ, ମୁକୁନ୍ଦ ବରିହା ୧୦୦ ମିଟର ଦୌଡ଼ରେ ଦ୍ୱିତୀୟ ଏବଂ ଉମେଶ ନାଗ ଲମ୍ବ ଡିଆଁରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଣ୍ଡର-୧୭ ବାଳିକା ବର୍ଗରେ ସଙ୍ଗୀତା ମହାନନ୍ଦ ହେମର ଥ୍ରୋରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଜେବଲିନ ଥ୍ରୋ ଓ ଡିସକସ୍ ଥ୍ରୋରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଅଣ୍ଡର-୧୭ ବାଳକ ବର୍ଗରେ ଆୟୁଷ କୁମାର କାଲସାଏ ୧୦୦ ମିଟର ଦୌଡ଼ରେ ପ୍ରଥମ, ମୁକେଶ ବାଗ ଉଚ୍ଚ ଡିଆଁରେ ପ୍ରଥମ ଏବଂ କରନ ବରିହା ଟ୍ରିପଲ୍ ଜମ୍ପରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହି ସଫଳତା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟ ସହ ଖପ୍ରାଖୋଲ ବ୍ଲକ ପାଇଁ ଗୌରବ ଆଣିଛନ୍ତି। ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ବଲାଙ୍ଗୀର ଜିଲ୍ଲାରୁ ୨୫ ଜଣ ଖେଳାଳି ଚୟନ ହେବେ ବୋଲି ଜଣାପଡ଼ିଛି। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ସେମାନଙ୍କୁ ନିୟମିତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ଯୋଗାଇବାରେ ଖପ୍ରାଖୋଲ ବ୍ଲକ ସ୍ପୋର୍ଟ୍ସ ଆସୋସିଏସନର ସମ୍ପାଦକ ତଥା ଖେଳ ଶିକ୍ଷକ ରଜତ କୁମାର ଦାସ, ଖେଳ ଶିକ୍ଷକ ପ୍ରମୋଦ ବାଗ, ହେମଲତା ପରିଡା, ସନାତନ କୁମ୍ଭାର, ଦଳଗୋବିନ୍ଦ ମୁଣ୍ଡା, ପୁନମଚାନ୍ଦ ମାଝୀ, ଭୋଜରାଜ ଗହୀର ଏବଂ ମାଝୀ ସାହୁ ପ୍ରମୁଖଙ୍କ ଭୂମିକା ରହିଛି। ସେମାନଙ୍କ ଉପସ୍ଥିତି ଓ ମାର୍ଗଦର୍ଶନ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ ବୋଲି କ୍ରୀଡ଼ାପ୍ରେମୀ ମହଲରେ ଆଶା ପ୍ରକାଶ ପାଇଛି।
