ଯୋଧପୁର: ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହ ଶନିବାର ଦିନ କହିଛନ୍ତି ଯେ, ଆମେରିକା ଭାରତକୁ ଏଫ-୩୫ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ବିକ୍ରି କରିବା ପାଇଁ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ଦେଇନାହିଁ। ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ ଝଙ୍କ-୫୭ ଯୁଦ୍ଧ ବିମାନ ପାଇଁ ରୁଷିଆର ପ୍ରସ୍ତାବ ଉପରେ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଯୋଧପୁରରେ ଆୟୋଜିତ ବହୁରାଷ୍ଟ୍ରୀୟ ବାୟୁସେନା ଅଭ୍ୟାସ “ତରଙ୍ଗ ଶକ୍ତି-୨୦୨୬’ର ଉଦ୍ଯାପନୀ ସମାରୋହ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ସିଂହ ଏହି ସୂଚନା ଦେଇଥିଲେ। ଆମେରିକୀୟ ବାୟୁସେନାର “ପାସିଫିକ୍ ଏୟାର ଫୋର୍ସେସ୍’ର କମାଣ୍ଡରଙ୍କ ସହ ମଞ୍ଚରେ ଉପସ୍ଥିତ ଥାଇ, ଏଫ-୩୫ ପ୍ରସ୍ତାବ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସିଂହ ହାସ୍ୟରସାତ୍ମକ ଢଙ୍ଗରେ କହିଥିଲେ, ଆପଣଙ୍କ ଲୋକମାନେ ତ ଆମକୁ ସେହି ବିମାନର ପାଖକୁ ମଧ୍ୟ ଯିବାକୁ ଦିଅନ୍ତି ନାହିଁ, ଆଉ ଆପଣ ଏହାକୁ ଆମକୁ ବିକ୍ରି କରିବା ବିଷୟରେ କଥା ହେଉଛନ୍ତି।
