କଳାହାଣ୍ଡ: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ବନାଞ୍ଚଳର ଅଧିକାରୀମାନେ ମାନବିକତା ଭୁଲି ଗଲେଣି। ନିଜେ ତ ଜଙ୍ଗଲକୁ ଯାଉ ନାହାଁନ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ମରଣ ମୁହଁକୁ ଠେଲି ଦେଇ ଅଫିସ ରେ ମୌଜ ମସ୍ତି କରୁଛନ୍ତି । କେଗାଁ ବନାଞ୍ଚଳରେ ଜଣେ ଯୁବକଙ୍କୁ ଅସ୍ଥାୟୀ ଭାବେ ଜଙ୍ଗଲରେ ନିଆଁ ଲିଭାଇବା କାମରେ ନିୟୋଜିତ କରିଥିଲେ ଓ ନିଆଁ ଲିଭାଇ ଲିଭାଇ ନିଜେ ମୃତ୍ୟୁ ମୁଖରେ ପଡ଼ିଲେ । ମୃତ୍ୟୁର ୩ଦିନ ବିତି ଯାଇଥିଲେ ସୁଦ୍ଧା ମୃତ ଯୁବକଙ୍କ ପରିବାର ପାଖରେ ପହଁଞ୍ଚି ନାହାନ୍ତି ବନ ବିଭାଗ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନୂଆଁଗାଁ ପଞ୍ଚାୟତର କରଞ୍ଜକୋଟ ଗ୍ରାମର ଥବିର ଚନ୍ଦନ(୪୨) କେଗାଁ ବନଖଣ୍ଡ ଅନ୍ତର୍ଗତ ନୂଆଁଗାଁ ବିଟ୍?ରେ ଅସ୍ଥାୟୀ ଭାବେ ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ। ଥବିର ଚନ୍ଦନଙ୍କୁ ମନରେଗା ଯୋଜନାରେ ନିଯୁକ୍ତି କରି ନିଆଁ ଲିଭାଇବା କାର୍ଯ୍ୟରେ ରଖୁଥିଲେ ଓ ସେ ଗତ ୨୧ ତାରିଖରେ ଜଙ୍ଗଲକୁ ନିଆଁ ଲିଭାଇବା ପାଇଁ ଯାଇ ସନ୍ଧ୍ୟାରେ ଗୁରୁତର ଭାବେ ଘରକୁ ଫେରିଥିଲେ । ନିଆଁ ଲିଭାଇବା ସମୟରେ ଖାଦ୍ୟ ଓ ପନିୟଜଳ ବନ ବିଭାଗ ମଧ୍ୟ ଯୋଗାଇ ନ ଥିଲେ । ଗୁରୁତର ହେବାରୁ ତାଙ୍କୁ ପରିବାର ପକ୍ଷରୁ ଉଚ୍ଛଳାପ୍ରାଥମିକ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଅତି ଗୁରୁତର ହେବାରୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଧ୍ୟା ୮ ଟାରେ ଭର୍ତ୍ତି କରିଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୨ତାରିଖ ଦିନ ମୃତ୍ୟୁ ହୋଇଥିବା ଡାକ୍ତର ଶିବାଶିଷ ଖମାରିଙ୍କ ରିପୋର୍ଟରୁ ଜଣାପଡ଼ିଛି । ଦୁର୍ଭାଗ୍ୟ କଥା ଯେ ଜଙ୍ଗଲ ବିଭାଗ ପକ୍ଷରୁ କେଗାଁ ସେକସନ ବନପାଳ ରମେଶ ପଣ୍ଡା କିମ୍ବା ରେଞ୍ଜର ଯୁଧିଷ୍ଠିର ଜାଲ କୌଣସି ଆର୍ôଥକ ସହାୟତା ଦେଇ ନ ଥିବା ବେଳେ ଡାକ୍ତରଖାନାକୁ ମଧ୍ୟ ଦେଖିବାକୁ ଯାଇ ନଥିଲେ । ଅନ୍ୟପକ୍ଷରେ ଥବିରଙ୍କ ମୃତ୍ୟୁକୁ ଆଜକୁ ତିନି ଦିନ ପରେ ବି ବନ ବିଭାଗ ମୃତ ପରିବାରକୁ ସମାବେଦନା ତ ଦୂରର କଥା ଫୋନଟିଏ ମଧ୍ୟ କରିନଥିବା ନେଇ ମୃତ ଥବିରଙ୍କ ସ୍ତ୍ରୀ ମାଧୁରୀ ଚନ୍ଦନ ଅଭିଯୋଗ କରିଛନ୍ତି ଓ ଥବିର ଘରର ଏକ ମାତ୍ର ରୋଜଗାରିଆ ହୋଇଥିବା ବେଳେ ଘରେ ସ୍ତ୍ରୀ, ଗୋଟିଏ ବଢ଼ିଲା ଝିଅ ଏବଂ ଦୁଇ ଛୋଟ ଛୋଟ ପୁଅ ଅଛନ୍ତି। ତୁରନ୍ତ ପରିବାରକୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଏସିଏଫ ଲିଲି ଅମାନତ୍ୟଙ୍କୁ ପଚାରିବାରୁ କଣ ହୋଇଛି ମୁଁ ବୁଝୁଛି ବୋଲି କହିଥିଲେ।
