ବାରିପଦା /କରଞ୍ଜିଆ: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିବା ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ଅଭିଯୋଗରେ ଜଣେ ହିନ୍ଦୀ ଶିକ୍ଷକଙ୍କୁ ଗିରଫ କରିଛି କରଞ୍ଜିଆ ପୁଲିସ। ଏନେଇ କରଞ୍ଜିଆ ଥାନାରେ କେସ୍ ନମ୍ବର ୩୪୮/୨୬ମୂଳେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି। ପୁଲିସ ସୂଚନା ଅନୁଯାୟୀ, କରଞ୍ଜିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଅଭିଯୁକ୍ତ ପ୍ରୀତିରଞ୍ଜନ ମହାନ୍ତ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନ ଧରି ତାଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ତେବେ ପରବର୍ତ୍ତୀ ସମୟରେ ପ୍ରୀତିରଞ୍ଜନ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ନିଜ ବିବାହ ସମ୍ପର୍କରେ ସେ ଅଭିଯୋଗକାରୀ ଯୁବତୀଙ୍କୁ ଜଣାଇନଥିବା ପୁଲିସ କହିଛି। ଅଭିଯୋଗ ଅନୁସାରେ, ଅଭିଯୁକ୍ତଙ୍କର ଏକ ସନ୍ତାନ ଥିବା ସତ୍ତ୍ୱେ ମଧ୍ୟ ଏ ସମ୍ପର୍କରେ ଯୁବତୀଙ୍କୁ ଜଣାଇନଥିଲେ। ବିବାହ ପରେ ମଧ୍ୟ ବିଭିନ୍ନ ସ୍ଥାନର ହୋଟେଲକୁ ନେଇ ତାଙ୍କ ସହ ସମ୍ପର୍କ ରଖୁଥିବା ନେଇ ଯୁବତୀ ଅଭିଯୋଗ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ପରେ ଅଭିଯୁକ୍ତଙ୍କ ବିବାହ ଓ ସନ୍ତାନ ଥିବା ବିଷୟରେ ଯୁବତୀ ଜାଣିବା ପରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଏବଂ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଅଭିଯୋଗରେ ଉଲ୍ଲେଖ ରହିଛି। ଘଟଣାକୁ ନେଇ ଯୁବତୀଙ୍କ ପକ୍ଷରୁ କରଞ୍ଜିଆ ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ଆଧାରରେ କରଞ୍ଜିଆ ଥାନା ପୁଲିସ କେସ୍ ନମ୍ବର ୩୪୮/୨୬ ମୂଳେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାମଲା ସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ଫେରାର ଥିବା ପୁଲିସ ସୂଚନା ଦେଇଛି। ତେବେ ଗତକାଲି କରଞ୍ଜିଆ ପୁଲିସ ଅଭିଯୁକ୍ତ ପ୍ରୀତିରଞ୍ଜନ ମହାନ୍ତଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସଲରାପଦା ଗ୍ରାମର ହୃଷୀକେଶ ମହାନ୍ତଙ୍କ ପୁଅ ପ୍ରୀତିରଞ୍ଜନ ମହାନ୍ତ। ପୁଲିସ ସୂଚନା ଅନୁଯାୟୀ, ସେ ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳର ଝିଙ୍କିରିଆ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେହି ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ଶିକ୍ଷୟିତ୍ରୀଙ୍କୁ ସେ ବିବାହ କରିଥିବା ନେଇ ମଧ୍ୟ ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାର ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତଙ୍କଠାରୁ ଗୋଟିଏ ମୋଟରସାଇକେଲ ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଥିବାର ଜଣାପଡ଼ିଛି। ମାମଲାରେ ଅଭିଯୋଗର ସତ୍ୟତା, ଘଟଣାର ପୂରା ପୃଷ୍ଠଭୂମି ଓ ସମ୍ପୃକ୍ତ ଅନ୍ୟାନ୍ୟ ତଥ୍ୟ ନେଇ ପୁଲିସ ତଦନ୍ତ ଜାରି ରଖିଛି। ତେବେ ଏହି ମାମଲାରେ ଉଠିଥିବା ସମସ୍ତ ଅଭିଯୋଗର ଅନ୍ତିମ ସତ୍ୟତା ତଦନ୍ତ ଓ ଆଇନଗତ ପ୍ରକ୍ରିୟା ପରେ ସ୍ପଷ୍ଟ ହେବ।
