ବାରିପଦା : ମୟୂରଭଞ୍ଜ ଜିଲ୍ଲା, ବାରିପଦା ସଦର ଥାନା ଅନ୍ତର୍ଗତ ଇନ୍ଦପାହି କେନାଲ ଛକ ନିକଟରୁ ୨୬୫୦ ଲିଟର ଦେଶୀ ମଦ ସହ ଏକ ପିକଅପ ଗାଡ଼ି ଜବତ କରାଯାଇଛି । ଚୋରା ମଦ ଚାଲାଣ ଅଭିଯୋଗରେ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇଯାଇଛନ୍ତି । ସୂଚନା ଅନୁସାରେ, ଏକ ଦେଶୀ ମଦ ବୋଝେଇ ପିକଅପ ଗାଡ଼ି ଶନିବାର ବିଳମ୍ବିତ ରାତିରେ ବାରିପଦା ପଟୁ ଶୁଳିଆପଦା ଦେଇ ପଶ୍ଚିମବଙ୍ଗ ରାଜ୍ୟକୁ ଯାଉଥିଲା । ବାରିପଦା ସଦର ପୋଲିସ ରଜାବସା ଅଞ୍ଚଳରେ ପେଟ୍ରୋଲିଂ ସମୟରେ ଏ ବାବଦରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଇନ୍ଦପାହି କେନାଲ ଛକ ନିକଟରେ ଗାଡିଟିକୁ ଅଟକାଇ ଥିଲେ । ଗାଡ଼ି ଯାଞ୍ଚ ବେଳେ ସେଠାରୁ ୫୩ ଗୋଟି ବସ୍ତାରେ ୨୬୫୦ ଲିଟର ଦେଶୀମଦ ଜବତ କରାଯାଇଥିଲା । ଗୋଟିଏ ବସ୍ତାରେ ୫ ଲିଟର ଲେଖାଏଁ ୧୦ ଗୋଟି ଟ୍ୟୁବ ମଧ୍ୟରେ ଦେଶୀମଦ ରହିଥିବାର ଦେଖିବାକୁ ମିଳିଥିଲା । ବାରିପଦା ସଦର ପୋଲିସ ମଦକୁ ଜବତ କରିବା ସହ ଗାଡ଼ିକୁ ଅଟକ ରଖିଛି । ଏହି ଘଟଣାରେ ଜଣକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା । ଗିରଫ ବ୍ୟକ୍ତି ଜଣକ ହେଲେ ଜଗଦିଶ ପ୍ରଧାନ । ଏନେଇ ପୋଲିସ ପକ୍ଷରୁ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।
