ମୁମ୍ବାଇ: ‘ୱେଲକମ୍’, ‘ଗଦର: ଏକ୍ ପ୍ରେମ୍ କଥା’, ‘ଗଦର ୨’ ଏବଂ ‘ସ୍ତ୍ରୀ ୨’ ଭଳି ଫିଲ୍ମରେ ସ୍ମରଣୀୟ ସହ-ଅଭିନେତା ଭୂମିକା ପାଇଁ ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍ଙ୍କ ଦେହାନ୍ତ ହୋଇଛି। ଗୁରୁବାର ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ତାଙ୍କୁ ୫୬ବର୍ଷ ବୟସ ହୋଇଥିଲା। ମୁସ୍ତାକ୍ କର୍କଟ ରୋଗ ସହ ଲଢ଼ୁଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଆଇସିୟୁ ରେ ରଖାଯାଇଥିଲା ଏବଂ ଖବର ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଛି। ପୂର୍ବରୁ ତାଙ୍କର ଫୁସଫୁସ୍ କର୍କଟ ଧରାପଡ଼ିଥିଲା ଏବଂ ସେ ସୁସ୍ଥ ହୋଇଯାଇଥିଲେ। ତଥାପି, ଆଠ ଦିନ ପୂର୍ବେ ଏହା ପୁନର୍ବାର ବଢ଼ିଯାଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏହା କର୍କଟ ରୋଗର ଶେଷ ପର୍ଯ୍ୟାୟ ଥିଲା। କେଆରକେ ମୁସ୍ତାକ୍ଙ୍କୁ ମନେ ପକାଇ “ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଲେଖିଛନ୍ତି, “ଆତ୍ମା ଶାନ୍ତି ପାଉ। ମୁସ୍ତାକ୍ ଭାଇ। ତୁମର ଅଭାବ ଅନୁଭବ ହେବ ଭାଇ! ଜଣେ ପ୍ରଶଂସକ ମୁସ୍ତାକ୍ଙ୍କ ଏକ ପୁରୁଣା ଭିଡିଓ କ୍ଲିପ୍ ସେୟାର କରି ଲେଖିଛନ୍ତି, “ଚମତ୍କାର ଅଭିନୟ ଏବଂ କମିକ୍ ଟାଇମିଂ।’ ଆଉ ଜଣେ ପ୍ରଶଂସକ “ୱେଲକମ୍’ ଫିଲ୍ମରୁ ମୁସ୍ତାକ୍ଙ୍କ ଏକ କ୍ଲିପ୍ ସେୟାର କରି ଲେଖିଛନ୍ତି, “ସେ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି, କିନ୍ତୁ ମୁଁ ତାଙ୍କୁ ସର୍ବଦା ଫିଲ୍ମର ‘ବଲ୍ଲୁ’ ଭାବରେ ମନେ ରଖିବି। ସେ ଯେଉଁଭଳି ଭାବରେ ‘ମେରି ଏକ୍ ଟାଙ୍ଗ୍ ନକଲି ହୈ, ମୈଁ ହକି କା ବହୁତ୍ ବଡ଼ା ଖିଲାଡ଼ି ଥା…’ (ମୋର ଗୋଟିଏ ଗୋଡ଼ ନକଲି, ମୁଁ ହକିର ଜଣେ ବଡ଼ ଖେଳାଳି ଥିଲି…) ସଂଳାପ କହିଥିଲେ, ତାହା ଏହାକୁ ସମ୍ପୂର୍ଣ୍ଣ ଆଇକନିକ୍।
