ନୂଆଦିଲ୍ଲୀ: ନିର୍ବାଚନ କମିଶନରମାନଙ୍କ ଦ୍ୱାରା ଉଠାଯାଇଥିବା ଆପତ୍ତିକୁ ଆଧାର କରି, ବୁଧବାର ଦିନ ବିରୋଧୀ ଦଳଗୁଡ଼ିକ “ସ୍ୱତନ୍ତ୍ର ଘନିଷ୍ଠ ସଂଶୋଧନ’ (ଝଓଜ) ପ୍ରକ୍ରିୟାକୁ ବାତିଲ କରିବାକୁ ଦାବି କରିଛନ୍ତି। ସେମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଉପରେ କଡ଼ା ସମାଲୋଚନା କରି ଅଭିଯୋଗ କରିଛନ୍ତି ଯେ ସେ ନିର୍ବାଚନ ଆୟୋଗକୁ “ଏକଛତ୍ରବାଦୀ ଶାସନ’ ଭଳି ଚଳାଉଛନ୍ତି ଏବଂ ତାଙ୍କୁ ପଦରୁ ହଟାଇବା (ମହାଭିଯୋଗ) ଓ ଗିରଫ କରିବାକୁ ଦାବି କରିଛନ୍ତି। ତେବେ ଶାସକ ଭାରତୀୟ ଜନତା ପାର୍ଟି କହିଛି ଯେ ସରକାରୀ ଆଲୋଚନା ସମୟରେ ନିର୍ବାଚନ କମିଶନରମାନଙ୍କ ଭିନ୍ନ ମତ ପ୍ରକାଶ ପାଇବା ଏହା ଦର୍ଶାଏ ଯେ ନିର୍ବାଚନ ଆୟୋଗ ଗଣତାନ୍ତ୍ରିକ ଉପାୟରେ କାର୍ଯ୍ୟ କରୁଛି। ଦଳ ଏହାକୁ “ଏକଛତ୍ରବାଦୀ’ ବୋଲି ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି। “ଇଣ୍ଡିଆନ୍ ଏକ୍ସପ୍ରେସ୍’ର ଏକ ରିପୋର୍ଟ ଅନୁଯାୟୀ, ଦୁଇଜଣ ନିର୍ବାଚନ କମିଶନର – ସୁଖବୀର ସିଂ ସାନ୍ଧୁ ଏବଂ ବିବେକ ଯୋଶୀ – ଭୋଟର ତାଲିକାର ଏସଆଇଆର ପ୍ରକ୍ରିୟା ଅଧୀନରେ ନାମ ବାଦ୍ ଦିଆଯିବା ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇଥିଲେ ଏବଂ ନିକଟ ଅତୀତରେ ୧୪ ଥର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଉପରେ ଆପତ୍ତି ଜଣାଇଥିଲେ। ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ନିର୍ବାଚନ ଆୟୋଗ କହିଛି ଯେ ଯେକୌଣସି ଅନୁଷ୍ଠାନରେ ଆଲୋଚନା ସମୟରେ ଭିନ୍ନ ମତ ଓ ମତାମତ ରହିବା ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ଏହାର ସମସ୍ତ ନିର୍ଦ୍ଦେଶ “ଗତ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କମିଶନରଙ୍କ ସର୍ବସମ୍ମତ ନିଷ୍ପତ୍ତିର ଫଳାଫଳ।’ ଏସଆଇଆର ପ୍ରକ୍ରିୟାକୁ ନେଇ ପୂର୍ବରୁ ନିର୍ବାଚନ ଆୟୋଗକୁ ସମାଲୋଚନା କରୁଥିବା ବିରୋଧୀ ଦଳଗୁଡ଼ିକ ଏହି ରିପୋର୍ଟକୁ ଆଧାର କରି ସଂସଦରେ କୁମାରଙ୍କ ବିରୋଧରେ ତୁରନ୍ତ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି: “ସରକାରୀ ଆଲୋଚନା ସମୟରେ ନିର୍ବାଚନ କମିଶନରମାନେ ଭିନ୍ନ ମତ ରଖିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ପ୍ରକୃତ ଗଣତନ୍ତ୍ରର ଏକ ପ୍ରତିଫଳନ। କଂଗ୍ରେସର ସାଧାରଣ ସମ୍ପାଦକ (ଯୋଗାଯୋଗ ଦାୟିତ୍ୱରେ ଥିବା) ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପାଇଁ ଜଣେ “ହାଚେଟ୍ ମ୍ୟାନ୍’ ଭାବରେ କାର୍ଯ୍ୟ କରିଛନ୍ତି, ଯିଏ କି ପୁଣି ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତି ଥିଲେ। “ମୁଖ୍ୟ ନିର୍ବାଚନ କମିଶନର ଯାହା କରୁଛନ୍ତି, ତାହା ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ, ସମର୍ଥନରେ ଏବଂ ବାସ୍ତବରେ ସେମାନଙ୍କ ପ୍ରରୋଚନାରେ କରାଯାଉଛି। କଂଗ୍ରେସର ବରିଷ୍ଠ ମୁଖପାତ୍ର ଅଭିଷେକ ସିଂଘଭି କହିଛନ୍ତି ଯେ କୁମାରଙ୍କର ପଦବୀରେ ରହିବାର କୌଣସି ଅଧିକାର ନାହିଁ ଏବଂ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିବ; ସେ ଏହାକୁ “ଡବଲ୍ ବୁଲଡୋଜର୍ ସରକାର’ର ଏକ ଗୁରୁତର ଉଦାହରଣ ବୋଲି ବର୍ଣ୍ଣନା କରିଥିଲେ। “ଏକ ବାହ୍ୟ ବୁଲଡୋଜର୍ ଅନୁଷ୍ଠାନଗୁଡ଼ିକ ବିରୁଦ୍ଧରେ କାମ କରେ ଏବଂ ଆଭ୍ୟନ୍ତରୀଣ ବୁଲଡୋଜର୍ ହେଉଛନ୍ତି ଉଋଉ, ଯିଏ ନିଜ ସଂସ୍ଥା ଓ ସହକର୍ମୀଙ୍କୁ ଦଳିମକଚି ଦେଇଛନ୍ତି ଏବଂ ନିର୍ବାଚନ ଆୟୋଗ (ଋଉ)କୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି ବୋଲି ସିଂଘଭି କହିଥିଲେ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁମାରଙ୍କ ଗିରଫଦାରୀ ଏବଂ ରାଜ୍ୟରେ ପୁନର୍ବାର ବିଧାନସଭା ନିର୍ବାଚନ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ବିଜେପି ଏବଂ ନିର୍ବାଚନ ଆୟୋଗ ଚଳିତ ବର୍ଷ ଆରମ୍ଭରେ ହୋଇଥିବା ନିର୍ବାଚନକୁ “ଲୁଟ୍’ କରିଥିଲେ ଏବଂ ପୁନର୍ବାର ନିର୍ବାଚନ ପାଇଁ ଏସଆଇଆର (ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା) ପୂର୍ବର ଭୋ ସେ ଅଭିଯୋଗ କରିଛନ୍ତି ଯେ “କେବଳ ଗୋଟିଏ ରାଜନୈତିକ ଦଳକୁ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ଲକ୍ଷ ଲକ୍ଷ ଭୋଟରଙ୍କୁ ଭୋଟ୍ ଅଧିକାରରୁ ବଞ୍ଚିତ କରିବା ଆମ ଗଣତନ୍ତ୍ରର ମୂଳଦୁଆ ଉପରେ ଆଘାତ କରେ ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ଉତ୍ତରଦାୟୀ କରାଯିବା ଉଚିତ୍ ବୋଲି ସେ କହିଛନ୍ତି। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ଆପ୍ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ କୁମାରଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ତାଙ୍କ ପଦରୁ ହଟାଇ ଦିଆଯାଉ। ଠାକରେ ଦାବି କରିଛନ୍ତି ଯେ କୁମାରଙ୍କୁ ଜେଲ୍ ପଠାଯାଉ ଏବଂ ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଅନୁଷ୍ଠିତ ଗତ ନିର୍ବାଚନକୁ ରଦ୍ଦ କରାଯାଇ ବାଲଟ୍ ପେପର ବ୍ୟବହାର କରି ପୁନଃ ନିର୍ବାଚନ କରାଯାଉ। ଲୋକସଭାରେ ବିରୋଧୀ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ରଖି ନିଜର ପୁରୁଣା “ଭୋଟ୍ ଚୋରି’ ଅଭିଯୋଗକୁ ଦୋହରାଇଛନ୍ତି। ସେ ଏହାକୁ “ଭାରତୀୟ ଜନସାଧାରଣଙ୍କ ବିରୋଧରେ ଏକ ଅପରାଧ’ ବୋଲି ବର୍ଣ୍ଣନା କରିଛନ୍ତି।
ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରି ନିର୍ବାଚନ ଆୟୋଗକୁ ଚେତାବନୀ ଦେଇଛନ୍ତି ଯେ ସମୟ ଆସିଲେ ସେମାନଙ୍କୁ ଛଡ଼ାଯିବ ନାହିଁ। “ମୁଁ ନିର୍ବାଚନ ଆୟୋଗ ଏବଂ ନିର୍ବାଚନ ଅଧିକାରୀମାନଙ୍କୁ ସ୍ପଷ୍ଟ ଭାବେ କହୁଛି: ଆପଣମାନେ ଯାହା କରୁଛନ୍ତି ତାହା ଭୁଲ୍। ଏହା ଦେଶଦ୍ରୋହ; ଏହା ରାଷ୍ଟ୍ର ବିରୋଧୀ। ଏହା ମନେରଖନ୍ତୁ। ସମୟ ଆସିବ! ଆମେ ଆପଣଙ୍କୁ ଧରିବୁ! ଆପଣଙ୍କୁ ଛଡ଼ାଯିବ ନାହିଁ,’ ବୋଲି ଗାନ୍ଧୀ ଭିଡିଓ ବାର୍ତ୍ତାରେ କହିଛନ୍ତି। ଅନ୍ୟତମ ପ୍ରମୁଖ ବିରୋଧୀ ନେତା ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଦାବି କରିଛନ୍ତି ଯେ ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର (ଉଋଉ) ଥିବା ସମୟରେ ଭବିଷ୍ୟତରେ କୌଣସି ନିର୍ବାଚନ ଅନୁଷ୍ଠିତ ହେବା ଉଚିତ୍ ନୁହେଁ। ୧୦ ମାସ ମଧ୍ୟରେ ୧୪ ଥର ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀମାନେ ଅନିୟମିତତା ସମ୍ପର୍କରେ ଲିଖିତ ମତାମତ ଦେଇଛନ୍ତି। ଏହା ଆମ ସମ୍ବିଧାନ ଏବଂ ଗଣତନ୍ତ୍ର।ତେଣୁ, ସମ୍ପୂର୍ଣ୍ଣ ଏସଆଇଆର ପ୍ରକ୍ରିୟା – ଯାହା ମାଧ୍ୟମରେ ସାରା ଦେଶରେ ୧୩ କୋଟି ଲୋକଙ୍କ ନାମ ହଟାଇ ଦିଆଯାଇଛି – ତାହା ବେଆଇନ ଅଟେ, କାରଣ ନିର୍ବାଚନ ଆୟୋଗ ଏହାକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିନାହାନ୍ତି। ତେଣୁ ଆଜି ଆମେ ଦାବି କରୁଛୁ ଯେ ସମ୍ପୂର୍ଣ୍ଣ ଏସଆଇଆର ପ୍ରକ୍ରିୟାକୁ ରଦ୍ଦ କରାଯାଉ, ଏହା ଅଧୀନରେ କରାଯାଇଥିବା ସମସ୍ତ ପରିବର୍ତ୍ତନକୁ ବାତିଲ କରାଯାଉ ଏବଂ ତିନି ବର୍ଷ ପୂର୍ବର ଭୋଟର ତାଲିକାକୁ ପୁନଃସ୍ଥାପିତ କରାଯାଉ ବୋଲି ବୋଲି କେଜ୍ରିୱାଲ କହିଛନ୍ତି।
