ପୁରୀ: ଶ୍ରୀଜଗନ୍ନାଥ ଧାମ ସହ ପୁରୀବାସୀଙ୍କ ସମ୍ପର୍କ ଦୀର୍ଘଦିନର ଆସ୍ଥା, ପରମ୍ପରା ଓ ଭକ୍ତିର ଏକ ଅନନ୍ୟ ଅଧ୍ୟାୟ। ଏହି ଭାବନାକୁ ସମ୍ମାନ ଦେଇ ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏକ ସ୍ପଷ୍ଟ, ସୁବିଧାଜନକ, ସମ୍ମାନଜନକ ଓ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ନିରବ ପଦଯାତ୍ରା ଆଜି ୧୭୪ତମ ଦିନରେ ପହଞ୍ଚିଛି।ଉତ୍କଳ ଦିବସ ଅବସରରେ ଗତ ୧ ଅପ୍ରେଲରୁ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ଶ୍ରୀମନ୍ଦିର ଅଭିମୁଖେ ଜାରି ରହିଛି। ପଦଯାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଯାତ୍ରା କରି ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦୀର୍ଘଦିନର ଦାବିର ସ୍ଥାୟୀ ସମାଧାନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ, ବର୍ଷା ଏବଂ ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ୧୭୪ ଦିନ ଧରି ଏହି ଯାତ୍ରାର ନିରନ୍ତରତା ପୁରୀବାସୀଙ୍କ ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି।

ଦାବି ପୂରଣ ପାଇଁ କୌଣସି ଉତ୍ତେଜନା କିମ୍ବା ଅଶାନ୍ତିର ପଥ ନ ଧରି ସତ୍ୟ, ଶାନ୍ତି ଓ ଅହିଂସାକୁ ଆଧାର କରି ପଦଯାତ୍ରା ଜାରି ରହିଛି।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ପଦଯାତ୍ରା କୌଣସି ଦଳୀୟ ରାଜନୀତି ସହ ଜଡ଼ିତ ନୁହେଁ। ପୁରୀବାସୀଙ୍କ ଆସ୍ଥା, ଭାବନା ଓ ଆକାଂକ୍ଷାକୁ ଗଣତାନ୍ତ୍ରିକ ଓ ଅହିଂସାପୂର୍ଣ୍ଣ ଉପାୟରେ ସରକାରଙ୍କ ନିକଟରେ ପହଞ୍ଚାଇବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ। ପୁରୀବାସୀଙ୍କ ପ୍ରତିନିଧିମାନଙ୍କ ସହ ସରକାର ସାର୍ଥକ ଆଲୋଚନା କରି ଏହି ପ୍ରସଙ୍ଗରେ ଏକ ସ୍ଥାୟୀ ଓ ସମ୍ମାନଜନକ ସମାଧାନ ବାହାର କରନ୍ତୁ ବୋଲି ସେ ଆହ୍ୱାନ ଜଣାଇଛନ୍ତି।ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ଏହି ପ୍ରୟାସର ଲକ୍ଷ୍ୟ କାହାକୁ ବିରୋଧ କରିବା ନୁହେଁ। ପୁରୀବାସୀଙ୍କ ଭାବନାକୁ ଗୁରୁତ୍ୱ ଦେଇ ସମସ୍ତ ପକ୍ଷ ମଧ୍ୟରେ ଆଲୋଚନା ଓ ବୁଝାମଣା ମାଧ୍ୟମରେ ଏକ ଗ୍ରହଣୀୟ ସମାଧାନ ଖୋଜିବା ହେଉଛି ଏହି ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ। ସୋମବାର ୧୭୪ତମ ଦିନରେ ମଧ୍ୟ ସତ୍ୟାଗ୍ରହୀମାନେ ନିଜ ଦାବି ପ୍ରତି ଦୃଢ଼ ରହି ଶାନ୍ତି ଓ ଅହିଂସାର ପଥରେ ଆଗକୁ ବଢ଼ିବାର ସଂକଳ୍ପ ପୁନର୍ବ୍ୟକ୍ତ କରିଥିଲେ।

ପୁରୀବାସୀଙ୍କ ଭାବନାକୁ ଯଥୋଚିତ ସମ୍ମାନ ମିଳିବା ସହ ସମସ୍ତ ପକ୍ଷଙ୍କ ମଧ୍ୟରେ ସାର୍ଥକ ଆଲୋଚନା ହୋଇ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ଏକ ସ୍ଥାୟୀ ଏବଂ ସ୍ପଷ୍ଟ ବ୍ୟବସ୍ଥା ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି।ଏହି ଅବସରରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ଅଞ୍ଜୁବାଳା ମହାନ୍ତି, ମମତା ଦାସ, ମମତା ସ୍ୱାଇଁ, ଜଗଦାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ଅଭିମନ୍ୟୁ ପ୍ରାଧାନ, ରମେଶ ଚନ୍ଦ୍ର ମହାନ୍ତି, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ୧୭୪ତମ ଦିନର ପଦଯାତ୍ରାରେ ଯୋଗଦେଇଥିଲେ।୧୭୪ ଦିନର ଏହି ଅବିରତ ପଦଯାତ୍ରା ଏବେ ପୁରୀବାସୀଙ୍କ ଦୃଢ଼ ମନୋବଳ ଓ ଅବିଚଳ ସଂକଳ୍ପର ଏକ ନିରବ ପ୍ରତିଛବି ପାଲଟିଛି। ଦିନ ପରେ ଦିନ ବିତିଚାଲିଥିଲେ ମଧ୍ୟ ଦାବିର ମୂଳ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଶାନ୍ତିପୂର୍ଣ୍ଣ ଉପାୟରେ ନିଜ ମତ ରଖିବା ସହ ଆଲୋଚନା ମାଧ୍ୟମରେ ସମାଧାନର ଆଶା ଆଜି ମଧ୍ୟ ଅବିଚଳ ରହିଛି।ପୁରୀବାସୀଙ୍କ ଏହି ପଦଯାତ୍ରା କାହା ବିରୋଧରେ ନୁହେଁ; ନିଜ ଆସ୍ଥା ଓ ଭାବନାକୁ ସମ୍ମାନ ଦେଇ ଏକ ସ୍ପଷ୍ଟ, ସୁବିଧାଜନକ, ସମ୍ମାନଜନକ ଓ ସ୍ଥାୟୀ ବ୍ୟବସ୍ଥା ପାଇଁ ଚାଲିଥିବା ଏକ ଅହିଂସାପୂର୍ଣ୍ଣ ପ୍ରୟାସ। ୧୭୪ ଦିନର ପଦଚିହ୍ନ ଏହି ସନ୍ଦେଶ ଦେଉଛି—ପଥ ଶାନ୍ତିର, ଦାବି ସ୍ପଷ୍ଟ, ସଂକଳ୍ପ ଅଟଳ ଏବଂ ସମାଧାନର ଆଶା ଅବିଚଳ।
