ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ସୈନିକ ଲାଲ୍ ଚାନ୍ଦ ଗୋଦାରା ୮୫ ବର୍ଷ ବୟସରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଏମଏ) ଡିଗ୍ରୀ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ଚଷଊ କିମ୍ବା ଆଇନ ଡିଗ୍ରୀ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହରିୟାଣାର ସିରସା ଅଞ୍ଚଳର ବାସିନ୍ଦା ଗୋଦାରା ୭୬ ବର୍ଷ ବୟସରେ ପୁନର୍ବାର ପାଠପଢ଼ା ଆରମ୍ଭ କରିଥିଲେ। ନିଜ ନାତି-ନାତୁଣୀଙ୍କ ପ୍ରଶ୍ନ ତାଙ୍କ ମନରେ ଅଧୁରା ରହିଯାଇଥିବା ଶିକ୍ଷାକୁ ପୂରଣ କରିବାର ଇଚ୍ଛାକୁ ପୁନର୍ବାର ଜାଗ୍ରତ କରିଥିଲା। ପାଞ୍ଚ ବର୍ଷ ପରେ, ଅର୍ଥାତ୍ ୮୧ ବର୍ଷ ବୟସରେ ସେ ସ୍ନାତକ ଶେଷ କରିଥିଲେ। ତାଙ୍କ ପୁଅ ଡକ୍ଟର ସାହିବ ରାମ ଗୋଦାରା ରବିବାର ଦିନ ସାହିବ ରାମ କହିଥିଲେ, “ମୋ ବାପା ‘ମାଷ୍ଟର ଅଫ୍ ଆର୍ଟସ୍” କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି। ଏହା ପୂର୍ବରୁ ସେ ୨୦୨୩ ମସିହାରେ ସ୍ନାତକ ଡିଗ୍ରୀ ମଧ୍ୟ ହାସଲ କରିଥିଲେ।’ ଗୋଦାରା କହିଛନ୍ତି ଯେ ପରିସ୍ଥିତି ଯୋଗୁଁ ତାଙ୍କୁ ଅନ୍ୟ ପଥ ବାଛିବାକୁ ପଡ଼ିଥିଲା, ଫଳସ୍ୱରୂପ ତାଙ୍କ ଶିକ୍ଷା ଜୀବନର ଏକ ଅଧୁରା ଅଧ୍ୟାୟ ହୋଇ ରହିଯାଇଥିଲା। ୨୦ ବର୍ଷ ବୟସ ହେବା ପୂର୍ବରୁ ସେ ସେନାରେ ଯୋଗ ଦେଇଥିଲେ ଏବଂ ସେନାବାହିନୀରେ କାର୍ଯ୍ୟ କରିବା ପରେ ହରିୟାଣା ପରିବହନ ବିଭାଗରେ “ୟାର୍ଡ ମାଷ୍ଟର’ ଭାବରେ କାର୍ଯ୍ୟ କରିଥିଲେ। ୨୦୦୨ ମସିହାରେ ଚାକିରିରୁ ଅବସର ନେବା ପରେ ସେ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଯୋଗ ଦେଇଥିଲେ ଏବଂ “ମାଷ୍ଟର୍ସ ଆଥଲେଟିକ୍ସ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ହରିୟାଣା ମାଷ୍ଟର୍ସ ଆଥଲେଟିକ୍ସ ପ୍ରତିଯୋଗିତା ଓ ଅନ୍ୟାନ୍ୟ ଇଭେଣ୍ଟରେ ପଦକ ଜିତିଥିଲେ। ତାଙ୍କ ବଡ଼ ପୁଅ କହିଛନ୍ତି ଯେ ସାନ ପୁଅର ଦୁଇ ସନ୍ତାନ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରିବା ପରେ ଗୋଦାରାଙ୍କର ପୁସ୍ତକ ପ୍ରତି ଆଗ୍ରହ ପୁନର୍ବାର ଜାଗ୍ରତ ହୋଇଥିଲା। ସାହିବ ରାମ କହିଲେ, “ଯୁବକ ଅବସ୍ଥାରୁ ହିଁ ମୋ ବାପାଙ୍କର ପୁସ୍ତକ ପ୍ରତି ଗଭୀର ଆଗ୍ରହ ଥିଲା।
