ରାଇଘର: ୧୪ ବର୍ଷରୁ କମ୍ ରାଜ୍ୟସ୍ତରୀୟ ଫୁଟବଲ୍ ଦଳ ଚୟନ ନିମନ୍ତେ ନବରଙ୍ଗପୁର ଜିଲ୍ଲା ରୁ ୧୦ ଜଣ ବାଳିକା ଏବଂ ୩ ଜଣ ବାଳକ ସୁଯୋଗ ପାଇଛନ୍ତି। ସେମାନେ ହେଲେ ବାଳିକା ଖେଳାଳି ଭାବେ ଭାରତୀ ଗଣ୍ଡ, ରଜନୀ ଗଣ୍ଡ, ପିଙ୍କି ଗଣ୍ଡ, ଭାରତୀ ଖୋରା, ଉତ୍ତମା ମାଝୀ, ପୂର୍ଣ୍ଣିମା ଗଣ୍ଡ, ରଶ୍ମିତା ଗଣ୍ଡ, ସରିତା ଗଣ୍ଡ, ଟିକିଲି ସରକାର, ଖୁସି ପୋଦ୍ଦାର ଏବଂ ବାଳକ ଖେଳାଳି ଭାବେ ଗୋପାଳ ହରିଜନ, ଅଭିଜିତ୍ ହରିଜନ, ଅର୍ବାଜ୍ ଖାନ୍ ପ୍ରମୁଖ ସୁଯୋଗ ପାଇଛନ୍ତି। ଚୟନ ପ୍ରକ୍ରିୟା ରେ ଭାଗ ନେବା ନିମନ୍ତେ ଗୋଟାଏ ଜିଲ୍ଲାରୁ ଏକା ସାଙ୍ଗରେ ଏତେ ଜଣ ସୁଯୋଗ ପାଇବା ଏକ ଗର୍ବର ବିଷୟ ବୋଲି ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ କହିଛନ୍ତି। ଭୁବନେଶ୍ୱର, କଳିଙ୍ଗ ଷ୍ଟାଡୟମଠାରେ ଅନୁଷ୍ଟିତ ହେବାକୁ ଥିବା ଚୟନ ପ୍ରକ୍ରିୟାରେ ଯେଉଁ ଖେଳାଳି ସଫଳତା ପାଇବେ ସେମାନେ ବିଭିନ୍ନ କ୍ରୀଡା ଛାତ୍ରାବାସ ରେ ରହିବେ ଏବଂ ରାଜ୍ୟ ଫୁଟବଲ୍ ସଂଘ ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ ଦିଆଯିବ । ଏଇ ମର୍ମରେ ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ ବାଲା କ୍ରିଷ୍ଣା ରାଓ , ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲିକ୍ ସମେତ କ୍ରୀଡା ସଂଘର ସମୟ ସଦସ୍ୟ ଏବଂ ଜିଲ୍ଲା ର ଅନ୍ୟ କ୍ରୀଡ଼ା ପ୍ରେମୀ ମାନେ ଉକ୍ତ ଖେଳାଳିଙ୍କ ସଫଳତା କାମନା କରିବା ସହ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ରାଜ୍ୟ ଫୁଟବଲ୍ ଦଳ ପାଇଁ ଚୟନ ହୋଇ ଜିଲ୍ଲା ପାଇଁ ସୁନାମ ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି। ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଅନୁଷ୍ଟିତ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ପ୍ରତିଯୋଗିତା ରେ ନବରଙ୍ଗପୁର ଜିଲ୍ଲା ର ଉଭୟ ବାଳକ ଓ ବାଳିକା ଦଳ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିବା ଜୋନାଲ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ରେ ଚାମ୍ପିୟନ୍ ହୋଇଥିଲେ ସେହିପରି ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ଥିଲେ।
