ମୁମ୍ବାଇ: ରବିବାର ଭୋର ସମୟରେ ମୁମ୍ବାଇର କୋଷ୍ଟାଲ୍ ରୋଡ୍ରେ ଏକ ଦ୍ରୁତଗାମୀ ବିଏମଡ୍ଲୁ କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ସକାଳ ୫ଟା ୨୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିଲା, ଯେତେବେଳେ ବିଳାସପୂର୍ଣ୍ଣ କା?ର୍ଟି ମେରାଇନ୍ ଡ୍ରାଇଭ୍?ରୁ ହାଜି ଅଲି ଆଡ଼କୁ ଅତ୍ୟଧିକ ବେଗରେ ଯାଉଥିଲା। କୋଷ୍ଟାଲ୍ ରୋଡ୍ କଣ୍ଟ୍ରୋଲ୍ ରୁମ୍ ଅନୁଯାୟୀ, ଲାଲା ଲାଜପତରାୟ କଲେଜ ସମ୍ମୁଖରେ ଥିବା ଲୋଟସ୍ ଜେଟି ନିକଟରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। କାରରେ ଥିବା ଚାରିଜଣଙ୍କୁ ତୁରନ୍ତ ନିକଟସ୍ଥ ନାୟାର ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତିନିଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ଶନାୟ ଗଜ୍ଜଲ (୨୧) ଏବଂ ଧୈର୍ଯ୍ୟ ସେଠ୍ (୧୭) ଭାବେ ଚିହ୍ନଟ କରାଯାଇଛି। ଅନ୍ୟ ଜଣେ ପୁରୁଷ ମୃତକଙ୍କ ବୟସ ପ୍ରାୟ ୨୫ ବର୍ଷ ବୋଲି ଅନୁମାନ କରାଯାଉଥିବାବେଳେ ତାଙ୍କ ପରିଚୟ ମିଳିପାରିନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ଚତୁର୍ଥ ବ୍ୟକ୍ତି ଜଣକ (ପ୍ରାୟ ୨୦ ବର୍ଷୀୟ ଯୁବକ) ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲର ଟ୍ରମା ୱାର୍ଡରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମୁମ୍ବାଇ କୋଷ୍ଟାଲ୍ ରୋଡ୍ ହେଉଛି ୧୦.୫୮ କିଲୋମିଟର ବିଶିଷ୍ଟ ଏକ ଦ୍ରୁତଗାମୀ ରାସ୍ତା (ଫ୍ରି-ୱେ), ଯାହା ଦକ୍ଷିଣ ମୁମ୍ବାଇର ମେରାଇନ୍ ଡ୍ରାଇଭ୍କୁ ବାନ୍ଦ୍ରା-ୱର୍ଲି ସି-ଲିଙ୍କ୍ର ୱର୍ଲି ପ୍ରାନ୍ତ ସହିତ ସଂଯୁକ୍ତ କରେ।
