ମସ୍କୋ: କ୍ରେମଲିନ୍ରେ ସଂସଦୀୟ ନିର୍ବାଚନର ତୃତୀୟ ତଥା ଶେଷ ଦିନ ଚାଲିଥିବା ବେଳେ ୟୁକ୍ରେନ୍ ସେନା ରାତିସାରା ରୁଷିଆ ଉପରକୁ ୧,୦୦୦ରୁ ଅଧିକ ଡ୍ରୋନ୍ ନିକ୍ଷେପ କରିଛି। ଏଥିମଧ୍ୟରୁ ଶହ ଶହ ଡ୍ରୋନ୍ ମସ୍କୋକୁ ଲକ୍ଷ୍ୟ କରି ପଠାଯାଇଥିଲା। ମସ୍କୋର ମେୟର ଏହି ଡ୍ରୋନ୍ ଆକ୍ରମଣକୁ ରୁଷିଆର ରାଜଧାନୀ ଉପରେ ହୋଇଥିବା “ସର୍ବବୃହତ୍’ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଏଥିରେ ମସ୍କୋର ଏକ ତୈଳ ବିଶୋଧନାଗାର ଓ ଏକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଗଭର୍ଣ୍ଣର ଆନ୍ଦ୍ରେ ଭୋରୋବିଓଭ୍ କହିଛନ୍ତି ଯେ, ବ୍ୟାପକ ମସ୍କୋ ଅଞ୍ଚଳରେ ହୋଇଥିବା ଏହି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୪ ବର୍ଷୀୟ ବ୍ୟକ୍ତି ଓ ଜଣେ ୪୪ ବର୍ଷୀୟା ମହିଳା ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି। ଏହି ଆକ୍ରମଣ ସମ୍ପର୍କରେ ୟୁକ୍ରେନ୍ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ରୁଷିଆରେ ଅନୁଷ୍ଠିତ ଏହି ଭୋଟ୍ ଗ୍ରହଣ ଥିଲା ଦେଶର ପ୍ରଥମ ଯୁଦ୍ଧକାଳୀନ ସଂସଦୀୟ ନିର୍ବାଚନ; ଏହି ନିର୍ବାଚନ ପ୍ରକ୍ରିୟାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ନୀତି ବିରୁଦ୍ଧରେ ପ୍ରାୟ କୌଣସି ବିରୋଧ ଦେଖିବାକୁ ମିଳିନଥିଲା ଏବଂ ଏହା କ୍ରେମଲିନ୍ର ପ୍ରାଧାନ୍ୟକୁ ସୁଦୃଢ଼ କରିବା ନିଶ୍ଚିତ ବୋଲି ମନେ କରାଯାଉଛି। ରୁଷିଆ ସେହି ଚାରୋଟି ୟୁକ୍ରେନୀୟ ଅଞ୍ଚଳରେ ମଧ୍ୟ ଭୋଟ୍ ଗ୍ରହଣ କରିଥିଲା ଯାହାକୁ ଯୁଦ୍ଧ ଆରମ୍ଭ ହେବା ପରେ ମସ୍କୋ ବେଆଇନ ଭାବେ ନିଜ ଅଧୀନକୁ ନେଇଥିଲା କିନ୍ତୁ ସେଠାରେ ଏବେ ମଧ୍ୟ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ; ଏହା ବ୍ୟତୀତ କ୍ରିମିଆରେ ମଧ୍ୟ ଭୋଟ୍ ଗ୍ରହଣ କରାଯାଇଥିଲା, ଯାହା କଳା ସାଗର ଅଞ୍ଚଳର ଏକ ଉପଦ୍ୱୀପ ଏବଂ ଯାହାକୁ ରୁଷିଆ ୨୦୧୪ ମସିହାରେ ବେଆଇନ ଭାବେ ନିଜ ଅଧୀନକୁ ନେଇଥିଲା। କିଭ୍ ଏହି ପଦକ୍ଷେପକୁ ବେଆଇନ ବୋଲି କହି ନିନ୍ଦା କରିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହାର ସେନା ସାରା ଦେଶରେ ଏବଂ ସଂଲଗ୍ନ ୟୁକ୍ରେନୀୟ ଉପଦ୍ୱୀପ କ୍ରିମିଆ ଏବଂ କଳା ସାଗରର ଜଳଭାଗରେ ୧,୧୦୦ ୟୁକ୍ରେନୀୟ ଡ୍ରୋନକୁ ଖସାଇ ଦେଇଛି। ମସ୍କୋ ମେୟର ସେରଗେଇ ସୋବ୍ୟାନିନ୍ କହିଛନ୍ତି ଯେ ରୁଷ ରାଜଧାନୀକୁ ଯାଉଥିବା ସମୟରେ ୪୫୦ ଡ୍ରୋନକୁ ନଷ୍ଟ କରାଯାଇଛି ଏବଂ ଏହି ଆକ୍ରମଣ ମସ୍କୋ ତୈଳ ବିଶୋଧନାଗାର ଏବଂ ଏକ ଆବାସିକ କୋଠାକୁ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି ଯେ ରାଜଧାନୀ ଉପରେ “ଅଭୂତପୂର୍ବ ଆକ୍ରମଣ’ ନିର୍ବାଚନକୁ ବାଧା ଦେବାର ଏକ ପ୍ରୟାସ ଥିଲା। “ଶତ୍ରୁ ଏହି କ୍ଷେତ୍ରରେ ବିଫଳ ହୋଇଛି ବୋଲି ସେ କହିଛନ୍ତି।
