ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡା ସ୍ଥିତ ମା’ ବଗଲାମୁଖୀ ମନ୍ଦିର ନିକଟରେ ୧୯ ସେପ୍େଟମ୍ବର ୨୦୨୬ରେ ବର୍ଷା ଯୋଗୁଁ ଫୁଲିଥିବା ଏକ ନାଳରେ କାର୍ ଭାସିଯିବା ଫଳରେ ଆଠ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କୁ “ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି’ରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି ବର୍ଣ୍ଣନା କରିଛି ଏବଂ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛି। ବିବୃତ୍ତିରେ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କାର କ୍ଷତିପୂରଣ ରାଶି ମଧ୍ୟ ନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଏବଂ ୩ି ଜଣ ପୁରୁଷ ଅନ୍ତର୍ଭୁକ୍ତ ଥିଲେ। ସେମାନେ ଓଡ଼ିଶାର ବାସିନ୍ଦା ଥିଲେ ଏବଂ ମନ୍ଦିର ଦର୍ଶନ ପାଇଁ ଉଜ୍ଜୈନରୁ ଯାତ୍ରା କରିଥିଲେ। ସେମାନଙ୍କ ପରିଚୟ ସମ୍ପର୍କରେ ଏବେ ମଧ୍ୟ ଯାଞ୍ଚ ଚାଲିଛି। ପୋଲିସ୍ ଅଧୀକ୍ଷକ ଦିଲୀପ କୁମାର ସୋନି କହିଛନ୍ତି ଯେ ଗାଡ଼ିଟି ନାଳ ପାର ହେବାକୁ ଚେଷ୍ଟା କରୁଥିବା ସମୟରେ ପ୍ରଖର ସ୍ରୋତରେ ଫସି ଯାଇଥିଲା। ଦୁର୍ଘଟଣା ପରେ ପ୍ରଶାସନିକ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି ଯେ ପାଣିର ପ୍ରଖର ସ୍ରୋତ ସତ୍ତ୍ୱେ ଡ୍ରାଇଭର ତରବରିଆ ଭାବେ ନାଳ ପାର ହେବାକୁ ଚେଷ୍ଟା କରିଥିବାରୁ ଏହି ଦୁର୍ଘଟଣା ଘଟିଥାଇପାରେ। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।
