ଦଶରଥପୁର: ସରକାର ଗମନା ଗମନ କ୍ଷେତ୍ରରେ ଉନ୍ନତି ଓ ଗ୍ରାମାଞ୍ଚଳ କୁ ସହର ସହିତ ସଂଯୋଗ ଏବଂ ଗ୍ରାମାଞ୍ଚଳରେ ଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡିକୁ ସୁବିଧାରେ ସହର ମାନଙ୍କରେ ପହଂଚାଇ ସେଗୁଡିକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କେତେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାର୍ଯ୍ୟରେ ଅନିୟମିତତା ଦେଖାଯାଇଛି । ଯାହାଫଳରେ ରାସ୍ତାର ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି ।ଯାହାର ଉଦାହରଣ ଯାଜପୁର ଗ୍ରାମ ଉନ୍ନୟନ ବିଭାଗ ଅଧିନସ୍ଥ ମଙ୍ଗଳପୁର ସେକ୍ସନ ଅନ୍ତର୍ଗତ ମଙ୍ଗଳପୁର -ଠାରୁ ବଡକୁଆଁଲ ରାସ୍ତାକୁ ଲକ୍ଷ କଲେ ଜଣାଯିବ । ନିମ୍ନମାନର କାର୍ଯ୍ୟ ଯୋଗୁଁ ବିନ୍ଧାନନ୍ଦିପୁର ସ୍କୁଲ ଓ ପୋଲ ନିକଟରେ ଏହି ରାସ୍ତା ମଝିରୁ ଫାଟି ୨ ଫାଳ ହୋଇଯାଇଛି । ପ୍ରାୟ ଶହେ ମିଟର ଲମ୍ବାର ରାସ୍ତା ଫାଟି ଦବିଯିବ ସହିତ ରାସ୍ତା ମଝିରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ଯାହାଫଳରେ ଏହି ରାସ୍ତା ଦେଇ କେବଳ ସାଇକେଲ ଓ ମଟର ସାଇକେଲ ଛଡା ଅନ୍ୟ କୌଣସି ବଡ଼ ଗାଡି ଯାତାୟାତ ସମ୍ଭବପର ହୋଇପାରୁ ନାହିଁ । ଯାହା ଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ଚାଉଳିଆ, ଦକ୍ଷିଣବନ୍ଧ, ବଡକୁଆଁଲ,ସାନକୁଆଁଲ, କେନ୍ଦୁଆକୁଳ, କୋତପୁର ଆଦି ଗ୍ରାମ ସମେତ ବିଂଝାରପୁର ବ୍ଲକର ବାଙ୍ଗରା, ହଳଦିଡ଼ିହ ଓ ଆଉଁରୀ ଆଦି ପଞ୍ଚାୟତର ଜନସାଧାରଣଙ୍କର ଗମନା ଗମନ ଓ ସାମଗ୍ରୀ ନେବା ଆଣିବାରେ ଅସୁବିଧା ସୃଷ୍ଟି ହେଉଛି । ଅଭିଯୋଗ ଅନୁଯାୟୀ ଗତ ୨ ଦିନ ତଳେ ରାସ୍ତା ନିର୍ମାଣ ଦାୟିତ୍ୱ ରେ ଥିବା ଠିକା ସଂସ୍ଥା ପକ୍ଷରେ ରାସ୍ତାର ଡାହାଣ ପାର୍ଶ୍ୱରେ ରିଟର୍ଣିଂ ୱାଲ ନିର୍ମାଣ ନିମନ୍ତେ ପ୍ରାୟ ଦଶ ଫୁଟ ଗଭୀର ଓ ଶହେ ଫୁଟ ଲମ୍ବର ଗାତ ଖୋଲି କୌଣସି କାମ ନ କରି ସେମିତି ଛାଡି ଦେଇ ଯାଇଥିଲେ ।

ଯାହାଫଳରେ ରାସ୍ତା ପାର୍ଶ୍ୱରେ କୌଣସି ସପୋର୍ଟ ରହିନଥିଲା । ଏବଂ ଉକ୍ତ ସମୟ ମଧ୍ୟରେ ବହୁ ସଂଖ୍ୟାରେ ଭାରି ଯାନ ଏହି ରାସ୍ତାରେ ଯିବା ଦ୍ୱାରା ରାସ୍ତାରେ ଫାଟ ସୃଷ୍ଟି ହେବା ସହିତ ରାସ୍ତା ଡାହାଣ ପାର୍ଶ୍ୱକୁ ଧସିବାକୁ ଲାଗିଥିଲା । ଏ ସମ୍ପର୍କ ରେ ସୂଚନା ପାଇ ଗ୍ରାମଉନ୍ନୟନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରେ ଉଭୟ ପାର୍ଶ୍ୱରେ ମାଟି ଜମା କରିବା ସହିତ ବାଉଁଶ ଓ ରାଶି ସାହାଯ୍ୟରେ ସୁରକ୍ଷା ଘେରା ସୃଷ୍ଟି କରି ଉକ୍ତ ରାସ୍ତାରେ ଯାତାୟାତ ନ କରିବାକୁ ବୋର୍ଡ ମାରିଛନ୍ତି । ପ୍ରକାଶଥାଉ କି ୮.୩୧ କୋଟି ବ୍ୟୟ ଅଟକଳରେ ନିର୍ମାଣଧୀନ ମଙ୍ଗଳପୁର – ବଡ କୁଆଁଲ ରାସ୍ତାର ନିର୍ମାଣ କାର୍ଯ୍ୟ ମେସର୍ସ ସତ୍ୟସାଇ କନଷ୍ଟ୍ରକସନ କୁ ପ୍ରଦାନ କରାଯାଇଥିଲା ।ଯାହାର କାର୍ଯ୍ୟ ୨୬/୧୧/୨୦୨୨ ମସିହାରେ ଆରମ୍ଭ ହୋଇ ୨୫/୧୦/୨୦୨୩ ମସିହାରେ ଶେଷ ହେବା କଥା ସେହିପରି ଏହାର ରକ୍ଷଣା ବେକ୍ଷଣ କାର୍ଯ୍ୟ ୨୬/୧୦/୨୦୨୩ ରୁ ଆରମ୍ଭ ହୋଇ ୨୫/୧୦/୨୦୨୮ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଚୁକ୍ତି ହୋଇଥିଲା । ମାତ୍ର କାର୍ଯ୍ୟ ଶେଷ ଅବଧିର ଅଢେଇ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର କେତେକ ସ୍ଥାନରେ ପିଚୁ ଉଠିଯିବା ସହିତ କଂକ୍ରିଟରେ ମଧ୍ୟ ଫାଟ ସୃଷ୍ଟି ହେଲାଣି ।ଯାହା ଆଗାମୀ ବର୍ଷା ଋତୁ ସମୟରେ ଯାତାୟାତରେ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ତେଣୁ ଉକ୍ତ ରାସ୍ତା କାର୍ଯ୍ୟରେ ହୋଇଥିବା ଅନିୟମିତତା ର ତଦନ୍ତ କରାଯିବା ଓ ଧସି ଥିବା ରାସ୍ତା ତୁରନ୍ତ ମରାମତି କରି ଯାତାୟାତ ଉପଯୋଗୀ କରିବାକୁ ସାଧାରଣରେ ଦାବୀ ହୋଇଛି । ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ଅଶୋକ କୁମାର ଜେନାଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ରାସ୍ତାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ଏବଂ ଖୁବ ଶୀଘ୍ର ମରାମତି କରାଯାଇ ଗମନା ଗମନ ଉପଯୋଗୀ କରାଯିବ ବୋଲି କହିଥିଲେ ।
