ଢେଙ୍କାନାଳ: ଢେଙ୍କାନାଳଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଆଜି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଣେ ମା ଓ ତାର ଶିଶୁପୁତ୍ରର ଶବ ଡାକ୍ତରଖାନାରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୩ଟା ୩୦ ସମୟରେ କଟକ ନରସିଂହପୁର ଥାନା ନରସିଂହପୁର ରେଞ୍ଜ ସେରମୁଣ୍ଡା ବିଟ ଅନ୍ତର୍ଗତ ନୂଆଗାଁ ଅଞ୍ଚଳର ବଇଁଶୀଧର ନାଏକଙ୍କ ସ୍ତ୍ରୀ ସସ୍ମିତା ନାଏକ(୩୫) ତାଙ୍କ ଶିଶୁପୁତ୍ର ଅନୁଜ ନାଏକ(୫)କୁ ନେଇ ଘର ପଛପାଖ ଆମ୍ବବଗିଚାରୁ ଆମ୍ବ ତୋଳୁଥିବାବେଳେ ହଠାତ୍ ଏକ ବଣୁଆହାତୀ ଆସି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଶିଶୁଟି ମୃତ୍ୟୁବରଣ କରିଥିବାବେଳେ ସସ୍ମିତା ଗୁରୁତର ଆହତ ହୋଇଥିଲେ।ଖବରପାଇ ସେରମୁଣ୍ଡା ବିଟ ବନବିଭାଗ କର୍ମଚାରୀ ଉଭୟଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆଣିବାରୁ ସେଠାରେ ଡାକ୍ତର ସସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନରସିଂହପୁର ଥାନା ପୁଲିସ,ବନବିଭାଗ ଅଧିକାରୀ ଶବ ଦୁଇଟି ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି। ନରସିଂହପୁର ବନବିଭାଗ ପକ୍ଷରୁ ଉଭୟଙ୍କ ପାଇଁ ୧ ଲକ୍ଷ ଲେଖାଏଁ ୨ ଲକ୍ଷ ତୁରନ୍ତ ସହାୟତା ପ୍ରତିଶୃତି ଦେବା ସହ ବାକି ୯ ଲକ୍ଷ ଲେଖାଏଁ ୧୮ ଲକ୍ଷ ଟଙ୍କା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଉଭୟ ମୃତକଙ୍କ ପରିବାରକୁ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ତେବେ ଏକସଙ୍ଗେ ମା ଓ ଶିଶୁପୁତ୍ର ଦୁଇଜଣଙ୍କର ମୃତ୍ୟୁ ହେବାକୁ ନେଇ ଅଞ୍ଚଳ ପୁରା ସ୍ତବ୍ଧ ହୋଇଯାଇଛି। ଏବଂ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
