ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡରେ ଦିନକୁ ଦିନ ବଢ଼ି ଚାଲିଥିବା ନିଶା କାରବାର ଏବଂ ଚୋରା ଚାଲାଣକୁ ରୋକିବା ଦିଗରେ ପୋଲିସକୁ ବଡ଼ ସଫଳତା ମିଳିଛି। କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଆନନ୍ଦପୁର ଏସ୍ଡିପିଓ କମଳ ଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏହି ବ୍ୟାପକ ଅଭିଯାନରେ ମୋଟ ୨୦ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯିବା ସହ ବହୁ ପରିମାଣର ନିଶାଦ୍ରବ୍ୟ ଓ ସାମଗ୍ରୀ ଜବତ ହୋଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ରାମଚନ୍ଦ୍ରପୁର ଥାନା ଅଞ୍ଚଳରୁ ଦୁଇଜଣ ବେପାରୀଙ୍କୁ କାବୁ କରିବା ପରେ ପୋଲିସ ସେମାନଙ୍କ ଲିଙ୍କ୍ ଖୋଜି ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଏହି କ୍ରମରେ ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ନିକଟରୁ ଗଞ୍ଜେଇ ବୋଝେଇ ହୋଇ ଆସୁଥିବା ଏକ କାରକୁ ପୋଲିସ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଏହି ସମଗ୍ର ଅଭିଯାନରେ ପୋଲିସ ୧ କ୍ୱିଣ୍ଟାଲ ୧୦ କେଜି ଗଞ୍ଜେଇ, ୨ଟି କାର, ୨ଟି ବାଇକ୍ ଏବଂ ୧୨ ହଜାର ଟଙ୍କା ନଗଦ ଜବତ କରିବାରେ ସଫଳ ହୋଇଛି।ସମସ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ମେଡିକାଲ ପରୀକ୍ଷା କରାଇବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ସଫଳତା ନେଇ ଆୟୋଜିତ ଏକ ପ୍ରେସମିଟ୍?ରେ ଏସ୍ଡିପିଓ କମଳ ଲୋଚନ ପଣ୍ଡା କହିଛନ୍ତି ଯେ, ନିଶା ମୁକ୍ତ ଆନନ୍ଦପୁର ଗଠନ ପାଇଁ ପୋଲିସ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଏହି ଅଭିଯାନକୁ ଅଧିକ କଡ଼ାକଡ଼ି କରାଯିବ ଏବଂ ଏଭଳି ଅବୈଧ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିବିଶେଷ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ପୋଲିସର ଏହି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି।
