କୋଣାର୍କ: କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମପଞ୍ଚାୟତର କୁରୁଜଙ୍ଗ ଗ୍ରାମର ଜଣେ ବ୍ୟକ୍ତି ନିଜ ଜଙ୍ଗଲରୁ କାଜୁ ମଞି ସଂଗ୍ରହ କରୁଥିବା ବେଳେ ସେହି ଗ୍ରାମର ଦୁଇ ଜଣ ଯୁବକ ସଂପୃକ୍ତ ଯୁବକ ଜଣକୁ ମାରଣାସ୍ତ୍ରରେ ଆକ୍ରମଣ କରି ଜୀବନରେ ମାରି ଦେବା ପାଇଁ ଧମକ ଚମକ ଦେବା ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ କୁରୁଜଙ୍ଗ ଗ୍ରାମର ରମେଶ ଚନ୍ଦ୍ର ସ୍ୱାଇଁ ବୁଧବାର ସକାଳ ୬ ଘଟିକା ସମୟରେ ନିଜ ଜଙ୍ଗଲରୁ କାଜୁ ମଞି ସଂଗ୍ରହ କରୁଥିବା ବେଳେ କୌଣସି କାରଣ ନ ଥାଇ ସେହି ଗ୍ରାମର ଭବାନୀ ରମେଶ ଙ୍କୁ ଅଶ୍ଳିଳଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେବା ସହ ତଣ୍ଟିକୁ ଚିପି ଦେଇ ଛାତିକୁ ଗୋଇଡା ମାରିଥିଲେ ।ଯାହା ଫଳରେ ରମେଶ ତଳେ ପଡି ଯିବାରେ ଅଜିତ ନାମକ ଯୁବକ ତାଙ୍କୁ ଏକ କଟୁରୀ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି କୋଣାର୍କ ଥାନାରେ ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ରମେଶ ସ୍ୱାଇଁ ଙ୍କ ଡାହାଣ ହାତ ଆଙ୍ଗୁଠିରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହେବା ସହ ନାକ ଦଣ୍ଡା ଓ କାନ ମୁଣ୍ଡାରେ ଗଭୀର ଆଘାତ ହୋଇଛି ବୋଲି ରମେଶ ଚନ୍ଦ୍ର ସ୍ୱାଇଁ କୋଣାର୍କ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଏହି ଘଟଣାକୁ ନେଇ କୋଣାର୍କ ପୋଲିସ ମାମଲା ରୁଜୁ କରିବା ବଦଳରେ ଶୀଥିଳତା ନୀତି ଅବଲମ୍ବନ କରିଥିଲା। ନ୍ୟାୟ ପାଇବା ପାଇଁ ଅଭିଯୋଗକାରୀ ରମେଶ ଚନ୍ଦ୍ର ସ୍ୱାଇଁ ପୁରୀ ଏସପିଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଗୁରୁତ୍ୱ ଆରୋପ କରି ପୁରୀ ଏସପି ପ୍ରତୀକ ସିଂ ଅଭିଯୋଗ ଆଧାରରେ ମାମଲା ରୁଜୁ କରିବା ପାଇଁ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏ ସଂପର୍କରେ କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢିଆରୀଙ୍କୁ ପଚାରିବାରେ ସେ କୁହନ୍ତି ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇ ଏହି ଆକ୍ରମଣରେ ସଂପୃକ୍ତ ଯୁବକ ମାନଙ୍କୁ ଗିରଫ କରାଯାଇ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
