କଳାହାଣ୍ଡି: କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା କାରାଗାରରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଫେରାର ହୋଇଯାଇଛି ।ସେ ଭବାନୀପାଟଣା ସଦର ଥାନା ଠେମେରା ଗ୍ରାମର ଜଗନ୍ନାଥ ଶବର ବୋଲି ଜଣାପଡିଛି ।ଗତ ମଙ୍ଗଳବାର ବିଳମ୍ବିତ ରାତି ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।ବିଭିନ୍ନ ଚୋରି ମାମଲାରେ ଗତ ୨ମାସ ତଳେ ଭବାନୀପାଟଣା ସଦର ଥାନା ପୋଲିସ ଜଗନ୍ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ମଞ୍ଜୁର ନ ହେବାରୁ ସେ ବିଚାରାଧୀନ କଏଦୀ ଭାବେ ଜେଲରେ ରହିଥିଲେ। ଫେରାର ନେଇ ଜେଲ ଅଧୀକ୍ଷକ ସରୋଜ କୁମାର ବିଶ୍ୱାଳ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୫୪/୨୬) ରୁଜୁ କରିଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ୨୦୨୪ ଏପ୍ରିଲ ୬ ତାରିଖରେ ଏହି ଜେଲରୁ ୨ଜଣ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିଲେ। ତେବେ ଘଟଣାର ପୁନରାବୃତ୍ତି ଘଟିଥିବାରୁ ଜେଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
