ବାରିପଦା; ବାରିପଦା ସହର ଉପକଣ୍ଠ ଚିପଟ ଅସ୍ତିଆ ପୋଲ ତଳୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତଦେହର ଅବସ୍ଥା ଦେଖି ଏହା ଏକ ଯୋଜନାବଦ୍ଧ ନୃଶଂସ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ପ୍ରାୟ ଦୁଇ ଦିନ ଧରି ମୃତଦେହଟି ପାଣିରେ ବୁଡ଼ି ରହିଥିବାରୁ ତାହା ସମ୍ପୂର୍ଣ୍ଣ ପଚିସଢ଼ି ବିକୃତ ହୋଇଯାଇଛି। ସ୍ଥାନୀୟ ଲୋକେ ପୋଲ ତଳେ ଶବଟି ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ମୃତକଙ୍କ ଶରୀରରେ ଏକାଧିକ ଗଭୀର କ୍ଷତଚିହ୍ନ ରହିବା ସହ ତାଙ୍କ ଉପରେ ଗରମ ତେଲ ଛିଞ୍ଚା ଯାଇଥିବା ଭଳି ପୋଡ଼ା ଦାଗ ପ୍ରତ୍ୟକ୍ଷଦର୍ଶୀମାନେ ଲକ୍ଷ୍ୟ କରିଛନ୍ତି। ବ୍ୟକ୍ତିଜଣଙ୍କୁ ଅନ୍ୟ କୌଣସି ସ୍ଥାନରେ ଅକଥନୀୟ ନିର୍ଯାତନା ଦେଇ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏହି ନିଛାଟିଆ ପୋଲ ତଳେ ଫିଙ୍ଗି ଦିଆଯାଇଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଭଞ୍ଜପୁର ଥାନା ପୋଲିସ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପାଣି ମଧ୍ୟରୁ ମୃତଦେହକୁ ବାହାର କରାଯାଇ ପୋଷ୍ଟମର୍ଟମ ପାଇଁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି। ପୋଲିସ ଘଟଣାର ତନାଘନା ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିଚୟ ଖୋଜିବା ପାଇଁ ଆଖପାଖ ଥାନାଗୁଡ଼ିକର ନିଖୋଜ ତାଲିକା ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
