ବାରିପଦା ; ମୟୁରଭଞ୍ଜ ଜିଲ୍ଲା,ବୈଶିଙ୍ଗା ଥାନା ଅଞ୍ଚଳରେ ଏକ ଅଜଣା ତଥା ସନ୍ଦିଗ୍ଧ ପାରା ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାରାଟିର ଗୋଡ଼ରେ ଏକ ସ୍ୱତନ୍ତ୍ର ଟ୍ରାକିଂ ଡିଭାଇସ୍ ଲାଗିଥିବାର ଦେଖିବାକୁ ମିଳିଛି। ଏହି ପାରାଟି କେଉଁ ସ୍ଥାନରୁ କିମ୍ବା କେଉଁ ଦେଶରୁ ଆସିଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୂଚନା ଅନୁସାରେ, ବୈଶିଙ୍ଗା ଥାନା ଅଞ୍ଚଳର ଜଣେ ସ୍ଥାନୀୟ ବ୍ୟକ୍ତି ପାରାଟିକୁ ପ୍ରଥମେ ଦେଖିଥିଲେ। ପାରାଟିର ଗୋଡ଼ରେ ଯନ୍ତ୍ରାଂଶ ଲାଗିଥିବା ଦେଖି ତାଙ୍କ ମନରେ ସନ୍ଦେହ ଉପୁଜିଥିଲା। ସେ ତୁରନ୍ତ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରାଟିକୁ ଉଦ୍ଧାର କରିବା ସହ ନିଜ ହେପାଜତକୁ ନେଇଥିଲା। ଏହାପରେ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ତୁରନ୍ତ ବନବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ପାରାଟି କୌଣସି ବୈଜ୍ଞାନିକ ଗବେଷଣା ପାଇଁ ଛଡ଼ାଯାଇଛି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୋଲିସ ଓ ବନବିଭାଗ ମିଳିତ ଭାବେ ଯାଞ୍ଚ ଆରମ୍ଭ କରିଛନ୍ତି।
