ନୂଆଦିଲ୍ଲୀ ; ଚେନ୍ନାଇ ସୁପର କିଙ୍ଗସ ଫ୍ୟାନ୍ସଙ୍କ ପାଇଁ ଦୁଃଖଦ ଖବର । ଦଳର ସବୁଠାରୁ ଭଲ ଫର୍ମରେ ଥିବା ଯୁବ ଷ୍ଟାର ଓପନର ଆୟୁଷ ମାହତ୍ରେ ଆହତ କାରଣରୁ ଚଳିତ ଆଇପିଏଲ୍ ସିଜିନ୍ରୁ ବାଦ୍ ପଡ଼ିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆହତ ହୋଇଥିଲେ ଆୟୂଷ । ଏହି ଖବର ସାମ୍ନାକୁ ଆସିବା ପରେ ଚେନ୍ନାଇ ଶିବିରରେ ଏବେ ଚିନ୍ତା ବଢ଼ିଛି । ପୂର୍ବ ସପ୍ତାହରେ ଅଖିଲ ଅହମ୍ମଦ ଆହତ ପାଇଁ ବାଦ ପଡିଥିଲେ । ତେବେ ଆୟୂଷଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ସୁଯୋଗ ଦିଆଯିବ ତାକୁ ନେଇ ପ୍ରଶ୍ନ ଉଠିଛି । ଆଇପିଏଲ ୨୦୨୬ରେ ଆୟୁଷ ମହାତ୍ରେଙ୍କ ଯାତ୍ରା ଶେଷ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଡାହାଣହାତୀ ବ୍ୟାଟର ଆଘାତ ପାଇଥିଲେ, ଯାହା ତାଙ୍କୁ ଏହି ସିଜିନର ଆଇପିଏଲରୁ ବାହାରର ରାସ୍ତା ଦେଖାଇଛି । ଆୟୂଷଙ୍କ ଅନୁପସ୍ଥିତି ସିଏସକେ ପାଇଁ ଏକ ଶକ୍ତ ଧକ୍କା । କାରଣ ଡାହାଣହାତୀ ବ୍ୟାଟର ଦମଦାର ଫର୍ମରେ ଥିଲେ । ଆୟୂଷ ମହାତ୍ରେ ୬ଟି ମ୍ୟାଚରେ ୩୩.୫୦ ହାରରେ ୨୦୧ ରନ କରିଥିଲେ । ୧୭୭.୮୭ ଷ୍ଟ୍ରାଇକ୍ ରେଟ୍ ସହ ସେ ୧୨ ଛକା ଏବଂ ୨୦ ଚୌକା ମାରିଥିଲେ। ହାଇଦ୍ରାବାଦ ବିପକ୍ଷରେ ବ୍ୟାଟିଂ କରିବା ସମୟରେ ତାଙ୍କର ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ପାଇଥିଲା ବର୍ତ୍ତମାନ ସେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି । ସେ ବର୍ତ୍ତମାନ ୬ରୁ ୧୨ ସପ୍ତାହ ପୁନର୍ବାସରେ ରହିବେ । ଚେନ୍ନାଇ ସୁପର କିଙ୍ଗସ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଏକ୍ସରେ ସୂଚନା ଦେଇଛି । ଭାରତୀୟ ଅଣ୍ଡର-୧୯ ଦଳକୁ ବିଶ୍ୱକପ୍ ଜିତାଇଥିବା ଆୟୂଷ ଏଥର ଚେନ୍ନାଇ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଥିଲେ । ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ଦଳକୁ ଏକ ମଜବୁତ ଆରମ୍ଭ ିଳୁଥିଲା । ଏବେ ବଡ଼ ପ୍ରଶ୍ନ ହେଉଛି ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ନେବ । ଏହି ରେସରେ ୩ ଜଣ ପ୍ଲେୟାର ଅଛନ୍ତି । ୟଶ ଧୁଲ୍ – ଦିଲ୍ଲୀର ଟପ୍ ଅର୍ଡର ବ୍ୟାଟର ୟଶ ଧୁଲ୍ ଆୟୂଷ ମହାତ୍ରେଙ୍କ ସ୍ଥାନରେ ସୁଯୋଗ ପାଇପାରନ୍ତି । ଏହି ଡାହାଣହାତୀ ବ୍ୟାଟର ସମ୍ପ୍ରତି ଭଲ ଫର୍ମରେ ଅଛନ୍ତି । ସେ ଦିଲ୍ଲୀ ପ୍ରିମିୟର ଲିଗ୍ରେ ୧୬୭ରୁ ଅଧିକ ହାରରେ ୪୩୫ ରନ୍ କରିଥିଲେ। ରଣଜୀ ଟ୍ରଫିରେ ୫ଟି ମ୍ୟାଚ୍ରେ ୪୩୪ ରନ୍ କରିଥିଲେ। ଏହା ସତ୍ତ୍ୱେ, ଧୁଲ୍ଙ୍କୁ ଆଇପିଏଲ୍ରେ ଖେଳିବାର ସୁଯୋଗ ମିଳିନଥିଲା, କାରଣ କୌଣସି ଦଳ ତାଙ୍କୁ ସୁଯୋଗ ଦେଇ ନଥିଲା । ସ୍ୱସ୍ତିକ ଚିକାରାଚେନ୍ନାଇ ସୁପର କିଙ୍ଗସ୍ ସମ୍ପ୍ରତି ଅନେକ ଯୁବ ଖେଳାଳିଙ୍କୁ ବିନିଯୋଗ କରିଛି, ଏବଂ ସେମାନେ ମହାତ୍ରେଙ୍କ ବଦଳ ଭାବରେ ସ୍ୱସ୍ତିକ ଚିକାରାକୁ ବିଚାର କରିପାରିବେ । ସ୍ୱସ୍ତିକ ଚିକାରା ଉତ୍ତର ପ୍ରଦେଶର ଜଣେ ଟପ୍-ଅର୍ଡର ବ୍ୟାଟର। ସେ ଗତ ସିଜନରେ ଆରସିବର ଅଂଶ ଥିଲେ କିନ୍ତୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ । ଚିକାରା ଏହି ସିଜନରେ ସୁଯୋଗ ପାଇଲେ ନାହିଁ, କିନ୍ତୁ ଏବେ ମହାତ୍ରେ ଆହତ ହୋଇଥିବାରୁ ସେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏକ ଭଲ ବିକଳ୍ପ ହୋଇପାରନ୍ତି । ସେ ଅଯୋଧ୍ୟା ପ୍ରିମିୟର ଲିଗ୍ ମ୍ୟାଚ୍ରେ ୬୯ ବଲରେ ୧୯୫ ରନ୍ କରିଥିଲେ। ସେହି ମ୍ୟାଚ୍ରେ ଚିକାରା ୨୧ ଛକା ମାରିଥିଲେ । ଯଦି ଚେନ୍ନାଇ ସୁପର କିଙ୍ଗସ୍ ଜଣେ ଅଭିଜ୍ଞ ଖେଳାଳିଙ୍କୁ ଚାନ୍ସ ଦେବାକୁ ନିଷ୍ପତ୍ତି ନିଏ, ତେବେ କର୍ଣ୍ଣାଟକର ଡାହାଣହାତୀ ବ୍ୟାଟର ମୟଙ୍କ ଅଗ୍ରୱାଲ୍ ଏକ ଭଲ ବିକଳ୍ପ । ଏହି ଡାହାଣହାତୀ ବ୍ୟାଟର ୧୩୧ଟି ଆଇପିଏଲ୍ ମ୍ୟାଚ୍ ଖେଳି ୨,୭୫୬ ରନ୍ କରିଛନ୍ତି, ଯେଉଁଥିରେ ୧୩ଟି ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ସାମିଲ ।
