ଭୁବନେଶ୍ୱର: ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ୍ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହଙ୍କ ଜେଲରୁ ଆଗୁଆ ମୁକ୍ତି ପାଇଁ କରାଯାଇଥିବା ଆବେଦନକୁ ଓଡ଼ିଶା ସରକାର ଖାରଜ କରିଦେଇଛନ୍ତି। ମଙ୍ଗଳବାର ଦିନ ଅଧିକାରୀମାନେ ସୂଚନା ଦେଇ କହିଛନ୍ତି ଯେ, ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡର ଏକ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବୋର୍ଡ କହିଛି ଯେ, “କିଛି ତଥ୍ୟ ଓ ପରିସ୍ଥିତିକୁ ବିଚାରକୁ ନେଇ’ ଏହି ପର୍ଯ୍ୟାୟରେ ତାଙ୍କୁ ଆଗୁଆ ମୁକ୍ତି ଦେବା ପାଇଁ ସୁପାରିଶ କରିବାକୁ ବୋର୍ଡ ଇଚ୍ଛୁକ ନୁହେଁ। ଜେଲରୁ ମୁକ୍ତି ପାଇଁ ସିଂହଙ୍କ ଆବେଦନ ଉପରେ ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଏହି ବିଷୟ ଉପରେ ବିଚାର କରିବାକୁ କହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସେପ୍େଟମ୍ବର ୧୭ ତାରିଖରେ ଏହି ମାମଲା କୋର୍ଟରେ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ୬୭ ବର୍ଷୀୟ ସିଂହ ଜେଲରେ ୨୫ ବର୍ଷ ବିତାଇବା ପରେ ଅକାଳ ମୁକ୍ତି ପାଇଁ ଆବେଦନ କରିଥିଲେ।

୧୯୯୯ ମସିହା ଜାନୁଆରୀ ମାସରେ କେନ୍ଦୁଝର ଜିଲ୍ଲାରେ ଏକ ଷ୍ଟେସନ୍ ୱାଗନ୍ ଗାଡ଼ିରେ ଶୋଇଥିବା ଅବସ୍ଥାରେ ୫୮ ବର୍ଷୀୟ ଷ୍ଟେନ୍ସ ଏବଂ ତାଙ୍କ ପୁଅ ଫିଲିପ୍ ଓ ଟିମୋଥିଙ୍କୁ ଜାଳି ହତ୍ୟା କରିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଭୁବନେଶ୍ୱରସ୍ଥିତ ଏକ ବିଚାର ଅଦାଲତ ପ୍ରାରମ୍ଭରେ ସିଂହଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ ଏହି ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା।
