ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନରେ ସୁବିଧାଜନକ, ସମ୍ମାନଜନକ ଏବଂ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ଅହିଂସାପୂର୍ଣ୍ଣ ପଦଯାତ୍ରା ଆଜି ୧୬୮ ଦିନରେ ପହଞ୍ଚିଛି। ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ଶାନ୍ତିପୂର୍ଣ୍ଣ ପ୍ରୟାସ ଏବେ କେବଳ ଏକ ଦାବିର ପ୍ରତୀକ ନୁହେଁ, ବରଂ ପୁରୀବାସୀଙ୍କ ଭାବନା, ଆସ୍ଥା ଓ ନିରନ୍ତର ସଂକଳ୍ପର ଏକ ସ୍ୱର ହୋଇଉଠିଛି। ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହେଉଥିବା ଏହି ପଦଯାତ୍ରାରେ ସତ୍ୟାଗ୍ରହୀମାନେ ଶୃଙ୍ଖଳିତ ଓ ଶାନ୍ତିମୟ ପରିବେଶରେ ଶ୍ରୀମନ୍ଦିର ଦିଗକୁ ଅଗ୍ରସର ହେଉଛନ୍ତି। ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିବା ସହିତ ପୁରୀବାସୀଙ୍କ ଦାବି ଶୀଘ୍ର ବିଚାର କରାଯାଇ ଏକ ସ୍ଥାୟୀ ସମାଧାନ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଉଛି।ଏହି ଦୀର୍ଘ ପଦଯାତ୍ରାରେ ତୀବ୍ର ଗ୍ରୀଷ୍ମ, ପ୍ରବଳ ବର୍ଷା ଓ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଆସିଥିଲେ ମଧ୍ୟ ସତ୍ୟାଗ୍ରହୀମାନଙ୍କ ଉଦ୍ୟମରେ କୌଣସି ବିରତି ଆସିନାହିଁ। ୧୬୮ ଦିନର ଏହି ନିରନ୍ତର ଯାତ୍ରା ଦର୍ଶାଇଛି ଯେ ଏହା କୌଣସି ତତ୍କାଳିକ ଆବେଗର ଫଳ ନୁହେଁ; ଶ୍ରୀମନ୍ଦିର ସହ ପୁରୀବାସୀଙ୍କର ପିଢ଼ି ପିଢ଼ିର ସମ୍ପର୍କ ଓ ଦୀର୍ଘଦିନର ଆକାଂକ୍ଷାରୁ ଏହି ଦାବିର ଉତ୍ପତ୍ତି। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ପ୍ରୟାସ କୌଣସି ଦଳୀୟ ରାଜନୀତି କିମ୍ବା ରାଜନୈତିକ ସ୍ୱାର୍ଥ ସହ ଜଡ଼ିତ ନୁହେଁ। ପୁରୀବାସୀଙ୍କ ମନରେ ଥିବା ଏକ ଦୀର୍ଘଦିନର ଆଶା ଓ ଭାବନାକୁ ଶାନ୍ତିପୂର୍ଣ୍ଣ ଉପାୟରେ ସରକାରଙ୍କ ନିକଟରେ ପହଞ୍ଚାଇବା ହିଁ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।

ସରକାର ପୁରୀବାସୀଙ୍କ ପ୍ରତିନିଧିମାନଙ୍କ ସହ ସାର୍ଥକ ଆଲୋଚନା କରି ଏକ ଗ୍ରହଣଯୋଗ୍ୟ ଓ ଦୀର୍ଘସ୍ଥାୟୀ ବ୍ୟବସ୍ଥା ନିର୍ଦ୍ଧାରଣ କରନ୍ତୁ ବୋଲି ସେ ଆହ୍ୱାନ ଜଣାଇଛନ୍ତି।ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ୧୬୮ ଦିନର ଯାତ୍ରା ସେମାନଙ୍କ ଧୈର୍ଯ୍ୟ ଓ ଦୃଢ଼ତାର ପରୀକ୍ଷା ହୋଇଥିଲେ ମଧ୍ୟ ସଂକଳ୍ପକୁ ଦୁର୍ବଳ କରିପାରିନାହିଁ। ଦାବି ପୂରଣ ପାଇଁ ସେମାନେ କୌଣସି ଉତ୍ତେଜନା, ଅଶାନ୍ତି କିମ୍ବା ସଂଘର୍ଷର ରାସ୍ତା ବାଛିନାହାନ୍ତି। ସତ୍ୟ ଓ ଅହିଂସାକୁ ଅସ୍ତ୍ର କରି ପୁରୀବାସୀ ଶାନ୍ତିପୂର୍ଣ୍ଣ ଭାବେ ନିଜ ଦାବି ଜଣାଇ ଆସୁଛନ୍ତି।ସରକାର ପୁରୀବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ବେଦନଶୀଳତାର ସହ ବିଚାର କରନ୍ତୁ ଏବଂ ଆଲୋଚନାର ମାଧ୍ୟମରେ ସ୍ଥାୟୀ ସମାଧାନର ପଥ ଖୋଲନ୍ତୁ। ଏକ ସ୍ପଷ୍ଟ, ସମ୍ମାନଜନକ ଓ ସ୍ଥାୟୀ ବ୍ୟବସ୍ଥା ଘୋଷଣା ନହେବା ପର୍ଯ୍ୟନ୍ତ ଏହି ଅହିଂସାପୂର୍ଣ୍ଣ ପଦଯାତ୍ରା ଓ ସତ୍ୟାଗ୍ରହ ଜାରି ରହିବ ବୋଲି ସେମାନେ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି।

ଏହି ଅବସରରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ସନ୍ତୋଷ ସେନାପତି, କାହ୍ନୁଚରଣ ପ୍ରଧାନ, ଅଞ୍ଜୁବାଳା ମହାନ୍ତି, ଶାଳିନୀ ପ୍ରଧାନ, ଶୁଭଶ୍ରୀ ମହାରଣା, ମନୀଷା ପାତ୍ର, ପୂଜା ଦାସ, ସିଲା କିନ୍ନର, ରିୟା କିନ୍ନର, ନେହା କିନ୍ନର, ବର୍ଷା, ବୈଶାଳୀ ପ୍ରଧାନ, ଶ୍ରଦ୍ଧା, ରିତିକା ପ୍ରଧାନ, ସୌମ୍ୟା ସାହୁ, ମମତା ସ୍ୱାଇଁ, ଯାଦବାନନ୍ଦ ରାୟ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ପ୍ରକାଶ ଚନ୍ଦ୍ର ନାୟକ, ଲିଙ୍ଗରାଜ ସାହୁ, ବରୁଣ ମହାପାତ୍ର, ରମେଶ ଚନ୍ଦ୍ର ମହାନ୍ତି, ସୁବାଷ ପଟ୍ଟନାୟକ, ବାପିନା ସାମନ୍ତରାୟ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ।
