ନୂଆଦିଲ୍ଲୀ : ପାକିସ୍ତାନ ବ୍ୟାଟର ବାବର ଆଜମଙ୍କ ଦୀର୍ଘ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ପାକିସ୍ତାନ ସୁପର ଲିଗ ୨୦୨୬ରେ ସେ ହାସଲ କରିଛନ୍ତି ଐତିହାସିକ ଶତକ। ପେଶାୱର ଜାଲିମ ପାଇଁ ଖେଳୁଥିବା ବାବର ରବିବାର କ୍ୱେଟ୍ଟା ଗ୍ଲାଡିଏଟର୍ସ ବିପକ୍ଷରେ ଏପରି ସଫଳତା ହାସଲ କରିଛନ୍ତି। ରବିବାର ମ୍ୟାଚ୍ରେ ପେଶାୱରର ସଂପୂର୍ଣ୍ଣ ଦବାଦବା ରହିଥିଲା। ୨୦ ଓଭରରେ ଦଳ ୩ ୱିକେଟ ହରାଇ ୨୫୫ ରନ କରିବା ପରେ କ୍ୱେଟ୍ଟାଙ୍କୁ ୧୩୭ ରନରେ ଅଲଆଉଟ କରିଛି। ପେଶାୱର ପାଇଁ ଏହି ମ୍ୟାଚ୍ ଯେତିକି ଖୁସି ଆଣିନି, ତା’ରୁ ଅଧିକ ଆଶ୍ୱସ୍ତ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମ। କାରଣ ଦୀର୍ଘ ୭୮୩ ଦିନ ପରେ ବାବର ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଶତକ ସହ ବାବର କେବଳ ଫର୍ମକୁ ଫେରି ନାହାନ୍ତି, ବରଂ ଟି-୨୦ ବ୍ୟାଟିଂ ତାଲିକାରେ ଭାରତୀୟ କ୍ରିକେଟର ରନ ମେସିନ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ବାବର ରବିବାର ଶତକ ପରେ ନିଜ ଟି-୨୦ କ୍ରିକେଟ କ୍ୟାରିୟରରେ ୧୨ ହଜାର ରନ ପୂରଣ କରିଛନ୍ତି। ୩୩୮ଟି ଇନିଂସରେ ସେ ଶତକ ହାସଲ କରି ଦ୍ରୁତତମ ଖେଳାଳି ଭାବେ ଏହି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ତାଲିକାର ୧ ନଂ ସ୍ଥାନରେ ପୂର୍ବରୁ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଖେଳାଳି ିସ ଗେଲ ରହିଥିଲେ। ସେ ୩୪୪ ଇନିଂସରେ ନିଜର ୧୨ ହଜାର ରନ ପୂରଣ କରିଥିବା ବେଳେ ବାବର ତାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ବିରାଟ କୋହଲି ୩୬୦ଟି ଇନିଂସରେ ୧୨ ହଜାର ରନ ପୂରଣ କରିଥିଲେ। କ୍ୱେଟ୍ଟା ବିପକ୍ଷରେ ଶତକ ମାରି ବାବର ନିଜର ୧୨ତମ ସେଞ୍ଚୁରୀ ହାସଲ କରିଛନ୍ତି। ଟି-୨୦ କ୍ରିକେଟରେ ସର୍ବାଧିକ ଶତକ ମାରିଥିବା ଖେଳାଳିଙ୍କ ତାଲିକାରେ ବାବର ଏବେ ଦ୍ୱିତୀୟରେ ପହଞ୍ଚି ଯାଇଛନ୍ତି। ୨୨ଟି ଟି-୨୦ ଶତକ ସହ ଗେଲ ସବୁଠାରୁ ଉପରେ ରହିଛନ୍ତି। ଶେଷଥର ପାଇଁ ବାବର ୨୦୨୪ ଫେବୃଆରୀ ମାସରେ ନିଜର ଟି-୨୦ ଶତକ ହାସଲ କରିଥିଲେ। ୩୧ ବର୍ଷୀୟ ନିଜର ଶତକୀୟ ଇନିଂସରେ ଆଉ ଏକ ବିରଳ ରେକର୍ଡ ହାସଲ କରିଛନ୍ତି। ସେ ରବିବାର ୫୨ ବଲରେ ଅପରାଜିତ ୧୦୦ ରନ କରିଥିଲେ। ଏହି ଇନିଂସରେ ସେ ୬ଟି ଚୌକା ଓ ୪ଟି ବିଶାଳ ଛକା ମାରିଛନ୍ତି। ହେଲେ ସେ ପୂରା ଇନିଂସରେ କେବଳ ଗୋଟିଏ ଡଟ ବଲ ଖେଳିଛନ୍ତି। ଅର୍ଥାତ ଗୋଟିଏ ବଲକୁ ଛାଡ଼ି ଦେଲେ ଆଉ ୫୧ଟି ବଲରେ ବାବର ରନ କରିଛନ୍ତି। ଟି-୨୦ ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଦେଖିବାକୁ ମିଳିଛି। ୫୦ରୁ ଅଧିକ ବଲ ଖେଳିବା ସତ୍ତ୍ୱେ କେବଳ ଗୋଟିଏ ଡଟ ହେବା ବିରଳ ଘଟଣା। ବାବରଙ୍କ ବ୍ୟତୀତ ରବିବାର ମ୍ୟାଚ୍ରେ ଶ୍ରୀଲଙ୍କାର କୁଶଲ ମେଣ୍ଡିସ ମଧ୍ୟ ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେ ୪୪ ବଲରେ ୮୩ ରନ କରିଥିଲେ। ବାବରଙ୍କ ସହ ମିଶି ସେ ୧୩୫ ରନର ଭାଗିଦାରୀ କରିବାରୁ ପେଶାୱର ୨୦ ଓଭରରେ ୩ ୱିକେଟ ହରାଇ ୨୫୫ ରନ କରିପାରିଥିଲା। ଏହା ପିଏସଏଲରେ ତୃତୀୟ ସର୍ବାଧିକ ଦଳଗତ ସ୍କୋର।
