ଅହମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୩୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଶକ୍ତିଶାଳୀ ପ୍ରଦର୍ଶନ କରିଛି। ଗୁଜରାଟକୁ ତାର ମାଟିରେ ୧୦୦ ରନ୍ରେ ପରାସ୍ତ କରିଛି। ୨୦୦ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ ୧୫.୫ ଓଭରରେ ସମସ୍ତ ୱିକଟେ୍ ହରାଇ ୧୦୦ ରନ୍ ସଂଗ୍ରହ କରିପାରିଛି। ମୁମ୍ବାଇ ଲଗାତାର ଚତୁର୍ଥ ପରାଜୟ ପରେ ଆଜି ବିଜୟ ହାସଲ କରିଛି। ଆଇପିଏଲ୍ର ଚଳିତ ସଂସ୍କରଣରେ ମୁମ୍ବାଇ ନିଜର ପ୍ରଥମ ମ୍ୟାଚ୍ରେ କୋଲକାତା ବିପକ୍ଷରେ ୬ୱିକେଟ୍ରେ ବିଜୟୀ ହୋଇଥିଲା। କିନ୍ତୁ ପରବର୍ତ୍ତୀ ୪ଟି ମ୍ୟାଚରେ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଏବଂ ବେଙ୍ଗାଲୁରୁ ଠାରୁ ପରାସ୍ତ ହୋଇଥିଲା। ଗୁଜରାଟ ପାଇଁ ୱାସିଂଟନ ସୁନ୍ଦର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୧୭ଟି ବଲ୍ର ସାମ୍ନାକରି ୫ଟି ଚୌକା ସହିତ ୨୬ ରନ୍ ସଂଗ୍ରହ କରିଥିଲେ। ଶାହରୁଖ ଖାନ ୧୭ ରନ୍, ଅଧିନାୟକ ଶୁବମନ ଗିଲ୧୪ ରନ୍ ଏବଂ କାଗିସୋ ରାବଡ଼ା ୧୨ ରନ୍ କରିଥିଲେ। ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକଥିଲା। ଅନ୍ୟପକ୍ଷରେ ମୁମ୍ବାଇ ପକ୍ଷରୁ ଅଶ୍ୱନୀ କୁମାର ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ଗଜନଫର ଏବଂ ମିଚେଲ ସାଣ୍ଟନରଙ୍କୁ ୨-୨ ୱିକେଟ୍ ମିଳିଥିଲା। ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅତିଥି ଦଳ ବ୍ୟାଟିଂ କରିଥିଲା। ଏଠାରେ ମୁମ୍ବାଇ ଯୁବ ବ୍ୟାଟର ତିଳକ ବର୍ମାଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୯୯ ରନ୍ ସଂଗ୍ରହ କରିଥିଲା। ମୁମ୍ବାଇ ପକ୍ଷରୁ ତିଳକ ବର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୫ଟି ବଲ୍ ସାମ୍ନାକରିଥିଲେ ଏବଂ ୧୦୧ ରନ୍ସଂଗ୍ରହ କରିଥିଲେ। ଏଥିରେ ୮ଟି ଚୌକା ଏବଂ ୭ଟି ଛକା ସାମିଲ କରିଥିଲେ। ନମନ ଧୀର ମୁମ୍ବାଇ ପାଇଁ ଦ୍ୱିତୀୟ ସର୍ବାଧିକ ସ୍କୋର କରିଥିଲେ। ସେ ୩୨ଟି ବଲ୍ ଖେଳି ୪୫ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚେ?କା ଏବଂ ଗୋଟିଏ ଛକା ସାମିଲ ଥିଲା। ଅନ୍ୟପଟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୫-୧୫ ରନ୍ର ଯୋଗଦାନ କରିଥିଲେ। ସୂର୍ଯ୍ୟକୁମାର ୧୦ଟି ବଲ୍ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ମାରିଥିଲା ବେଳେ ହାର୍ଦ୍ଦିକ ୧୬ଟି ବଲ୍ ସାମ୍ନା କରି ଗୋଟିଏ ଚୌକା ମାରିଥିଲେ। ମୁମ୍ବାଇର ଅନ୍ୟ ଖେଳାଳିମାନଙ୍କର ବ୍ୟାଟିଂ ଉତ୍ସାହଜନକ ହୋଇପାରି ନଥିଲା। ଗୁଜରାଟ ପକ୍ଷରୁ କାଗିସୋ ରାବଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ମହମ୍ବଦ ସାମି ଏବଂ ପ୍ରସିଦ୍ଧ କୃଷ୍ଣା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
