ବାରିପଦା; ମୟୂରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ ର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଜାରି ରହିଛି । ହାତୀ ଉପଦ୍ରବ ରେ ବ୍ୟାପକ ଚାଷ ଜମି କ୍ଷୟକ୍ଷତି ହେଉଥିବା ସହିତ ଧନଜୀବନ ହାନୀ ଘଟୁଛି । ଗତକାଲି ନଳଗଜା ଗାଁ ଭିତରକୁ ଏକ ଦନ୍ତାହାତୀ ପ୍ରବେଶ କରି ଜୟକୃଷ୍ଣ ପଣ୍ଡା ଙ୍କ ଘର ଭାଙ୍ଗିଥିବା ବେଳେ ଅନ୍ୟଜଣକ ଘର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଲୋକେ ପାଟିତୁଣ୍ଡ କରିବାରୁ ଘର ନ ଭାଙ୍ଗି କେବଳ ଘର ଭିତରୁ ଏକ ଚାଉଳ ଥିବା ହଣ୍ଡା କୁ ଟାଣିଆଣି ଖାଉଥିବା ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ସେହିପରି ଆଜି ସକାଳେ ମଧ୍ୟ ଉକ୍ତ ଅଞ୍ଚଳରେ ଏକ ଦନ୍ତାହାତୀ ଗାଁ ଭିତରକୁ ପ୍ରବେଶ କରି କଦଳୀ ଗଛରୁ କଦଳୀ, ସଜନା ଗଛ ରୁ ପତ୍ର, ପଣସ ଗଛରୁ ପଣସ ପତ୍ର ଖାଉଥିବା ସହିତ ଏକ ଦୋକାନ ଘର ଭିତରକୁ ଶୁଣ୍ଢ ବଢାଇ ଟାଣିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ସକାଳୁ ସକାଳୁ ହାତୀ କୁ ଦେଖି ଗାଁ ଲୋକେ ଠାକୁର ଆସିଛି କହୁଥିବା ସହ ନମସ୍କାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ହଠାତ ହାତୀ ଦେଖି ଲୋକେ ଭୟଭୀତ ହୋଇ ପଡିଥିବା ସ୍ଥାନୀୟ ଯୁବକ ମାନେ ହାତୀ ର ଭିଡିଓ କରିବାର ମଜା ଉଠାଉଥିଲେ । ଜଙ୍ଗଲୀ ହାତୀ ପାଖକୁ ନଯିବାକୁ ବନବିଭାଗ ପକ୍ଷରୁ କୁହାଯାଇଛି ।
