ସାହାରପଡା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଧୀନ ସାହାରପଡା ଫାଣ୍ଡି ଅନ୍ତର୍ଗତ ମାଟିଆଗୁନି ଗ୍ରାମ ନିକଟରେ ମଙ୍ଗଳବାର ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମାଟିଆଗୁନି ଗ୍ରାମର ଦୁନାଇ ମୁଣ୍ଡା (୫୬)। ସୂଚନା ଅନୁଯାୟୀ, ଏକ ସ୍କୋଡା କାର ସାହାରପଡା ପଟୁ ବାରତଣିଆଁ ଅଭିମୁଖେ ଯାଉଥିବା ସମୟରେ ମାଟିଆଗୁନି ବାଙ୍କ ନିକଟରେ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ରାସ୍ତା ପାର୍ଶ୍ୱରେ ବସିଥିବା ଦୁନାଇ ମୁଣ୍ଡାଙ୍କୁ କାରଟି ଧକ୍କା ଦେବା ପରେ ରାସ୍ତା ପାର୍ଶ୍ୱରେ ଥିବା ଏକ ସିମେଣ୍ଟ ପିଲ୍ଲରରେ ଧକ୍କା ଦେଇ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ କାର ଭିତରେ ୩ ଜଣ ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣା ପଡ଼ିଛି।

ତେବେ ଗୁରୁତର ଆହତ ଦୁନାଇ ମୁଣ୍ଡାଙ୍କୁ ସାହାରପଡା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରି କରଞ୍ଜିଆ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣା ପଡ଼ିଛି। ଖବର ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ସ୍କୋଡା କାରକୁ ଜବତ କରିଛି। ପରେ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ଦୁର୍ଘଟଣାଗ୍ରସ୍ତ ସ୍କୋଡା କାରଟି ବାରତଣିଆଁ ଗ୍ରାମ ନିକଟସ୍ଥ ବରବେଡା ଗ୍ରାମର ବୋଲି ପ୍ରାଥମିକ ଭାବେ ସୂଚନା ମିଳିଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।
