ବାରିପଦା /ସାହାରପଡା; ସରକାରୀ ଯୋଜନାର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚୁଥିବା ନେଇ ପ୍ରଶାସନ ପକ୍ଷରୁ ବାରମ୍ବାର ଡିଣ୍ଡିମ ପିଟା ଯାଉଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲା,ସାହାରପଡା ବ୍ଲକ, ଉଦୟପୁର ଗ୍ରାମର ଜଣେ ଅସହାୟ ବୃଦ୍ଧ ଦମ୍ପତିଙ୍କ ଜୀବନଚିତ୍ର ଏହାର ବାସ୍ତବତା ନେଇ ପ୍ରଶ୍ନ ଉଠାଇଛି। ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡି କେନ୍ଦ୍ରର ବାରଣ୍ଡା ହିଁ ପାଲଟିଛି ସେମାନଙ୍କ ଘର। ଉଦୟପୁର ମୁଣ୍ଡା ସାହିର ମକରଧ୍ୱଜ ମୁଣ୍ଡା ଓ ତାଙ୍କ ପତ୍ନୀ ସୁବାସିନୀ ମୁଣ୍ଡା ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି। ଦୁଇ ପୁଅଙ୍କ ମଧ୍ୟରୁ ବଡ଼ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ପୁଅ ଓ ବୋହୂ ବାପା-ମାଆଙ୍କୁ ନିଜ ଘରେ ରଖୁନଥିବାରୁ ବୃଦ୍ଧ ଦମ୍ପତି ଅଙ୍ଗନବାଡି କେନ୍ଦ୍ରର ବାରଣ୍ଡାରେ ରହୁଥିବା କହିଛନ୍ତି। ଏହି ବାରଣ୍ଡାରେ ହିଁ ସେମାନେ ରୋଷେଇ କରି ଖାଆନ୍ତି ଏବଂ ରାତିରେ ଶୋଇଥାନ୍ତି। ଦିନବେଳେ ଗାଁରେ ଭିକ୍ଷା ମାଗି ଯାହା ମିଳେ, ସେଥିରେ ଦୁଇଜଣଙ୍କ ପେଟ ଚଳେ। ବର୍ତ୍ତମାନ ବୟସର ଅପରାହ୍ନରେ ମକରଧ୍ୱଜ ବାଇତାଳୁ ବାଡ଼ି ଜଗି ଅଳ୍ପ କିଛି ଟଙ୍କା ରୋଜଗାର କରୁଥିବା ସେ ପ୍ରକାଶ କରିଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ବୟସ ୭୦ ବର୍ଷ ଛୁଇଁଥିଲେ ମଧ୍ୟ ମକରଧ୍ୱଜ ଓ ତାଙ୍କ ପତ୍ନୀଙ୍କୁ ବୃଦ୍ଧାବସ୍ଥା ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି। ତାଙ୍କ ପାଖରେ ରେସନ କାର୍ଡ ନଥିବାରୁ ସରକାରୀ ରେସନରୁ ମଧ୍ୟ ସେମାନେ ବଞ୍ଚିତ ଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ତାଙ୍କ ପାଇଁ ଏଯାଏଁ ସାତସପନ ହୋଇରହିଛି। ଏପରିକି ତାଙ୍କ ସାନ ପୁଅଙ୍କ ପରିବାର ମଧ୍ୟ ରେସନ ପାଉନଥିବା ସେ ଅଭିଯୋଗ କରିଛନ୍ତି। ଏଭଳି ଅବସ୍ଥାରେ ଦୀର୍ଘ ବର୍ଷ ଧରି ଅଙ୍ଗନବାଡି ବାରଣ୍ଡାରେ ଦିନ କାଟୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ପ୍ରତି ପ୍ରଶାସନର ତୁରନ୍ତ ଦୃଷ୍ଟି ପଡ଼ିବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ଦେଇଛନ୍ତି। ଗ୍ରାମର ସ୍ୱେଚ୍ଛାସେବୀ କୃଷ୍ଣଚନ୍ଦ୍ର ମହାପାତ୍ର ଅସହାୟ ବୃଦ୍ଧ ଦମ୍ପତିଙ୍କୁ ତୁରନ୍ତ ସରକାରୀ ସହାୟତା, ଭତ୍ତା, ରେସନ କାର୍ଡ ସହିତ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ଦାବି କରିଛନ୍ତି। ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ହେଲେ ହିଁ ୧୫ ବର୍ଷ ଧରି ଅଙ୍ଗନବାଡି ବାରଣ୍ଡାକୁ ଘର କରି ରହୁଥିବା ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କ ଜୀବନରେ ଆଶ୍ୱାସନର ଆଲୋକ ଫେରିପାରିବ।
