ନୀଳଗିରି; ନବନିର୍ମିତ ଫରେଷ୍ଟ ବିଟ୍ ହାଉସରୁ ଏକ ପ୍ଲାଷ୍ଟିକ ପାଣିଟାଙ୍କି ଓ ପ୍ରାଇମେରୀ ସ୍କୁଲରୁ ଦୁଇଟି ପ୍ଲାଏ ଚୋରିକରି ଜଣେ ଯୁବକ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ହଟହଟା ହେବାକୁ ପଡ଼ିଥିଲା। ଶେଷରେ ଚୋରି ଘଟଣାକୁ ନେଇ ଗ୍ରାମରେ ପ୍ରଜାକୋର୍ଟ ବସିଥିଲା। ଶେଷରେ ଚୋରି ଅଭିଯୋଗରେ ଅଭିଯୁକ୍ତକୁ ଗ୍ରାମସଭାରେ ଅର୍ଥଦଣ୍ଡ ଦେବାକୁ ପଡ଼ିଥିଲା। ଘଟଣାର ସମାଧାନ ମଧ୍ୟ ହୋଇଥିଲା। ମାତ୍ର ଚୋରିକରିଥିବା ଯୁବକଜଣକ ରାଜନୈତିକ ପଶାପାଲିରେ ପଡି ଶେଷରେ ଗିରଫହେବାକୁ ପଡିଲା। ଏହିପରି ଏକ ଘଟଣା ନୀଳଗିରି ଥାନା ଅନ୍ତର୍ଗତ ଭାଲୁକାଶୁଣି ଗ୍ରାମରେ ଦେଖିବାକୁ ମିଳିଛି। ଗତ ୧୦ଦିନ ତଳୁ ଗ୍ରାମରେ ଥିବା ଫରେଷ୍ଟ ବିଟ୍ ହାଉସରୁ ଉକ୍ତ ଗ୍ରାମର ଦେବେନ୍ଦ୍ର ସିଂ ପ୍ଲାଷ୍ଟିକ ପାଣିଟାଙ୍କି ଓ ଗ୍ରାମର ଏକ ପ୍ରାଇମେରୀ ସ୍କୁଲରୁ ଦୁଇଟି ପ୍ଲାଏ ଚୋରୀକରି ଘରେ ରଖିଥିବାବେଳେ ଗ୍ରାମବାସୀ ଜାଣିବାପରେ ତା ଘରେ ଚଢ଼ାଉକରି ସମସ୍ତ ଚୋରିସାମଗ୍ରୀ ଜବତକରିବା ସହ ତାର ଏକ ବାଇକକୁ ନେଇଆସିଥିଲେ। ପରେ ଏନେଇ ଗ୍ରାମରେ ଏକ ପ୍ରଜାକୋର୍ଟ ବସିଥିଲା। ଏହି ପ୍ରଜାକୋର୍ଟରେ ଦେବେନ୍ଦ୍ର ସିଂ ଚୋରିକରିଥିବା ନେଇ ସତ ମାନିବାପରେ ତିରିଶି ହଜାର ଟଙ୍କା ଅର୍ଥଦଣ୍ଡ ଦେଇ ଲେଖାପଢା ହୋଇ ସମାଧାନ ହୋଇଥିଲା ଏବଂ ବାଇକ୍ ଫେରିପାଇଥିଲେ।ମାତ୍ର ଦେବେନ୍ଦ୍ର ସିଂ ଉକ୍ତ ତିରିଶହଜାର ଟଙ୍କା ଫେରିପାଇବାର ଆଶାନେଇ ରାଜନେତାଙ୍କ ପଶାପାଲିରେ ବଶବର୍ତ୍ତୀହୋଇ ଗ୍ରାମବାସୀଙ୍କ ବିରୁଦ୍ଧରେ ୧୦/୯/୨୬ରେ ଏକ ଏତଲା ଦେଇଥିଲେ। ଗ୍ରାମବାସୀଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିବା ନେଇ ସୂଚନାପାଇବା ପରେ ଆଜି ଶତାଧିକ ଗ୍ରାମବାସୀ ଏକ ବସ କରି ନୀଳଗିରି ଥାନାରେ ରୁଣ୍ଡ ହୋଇଥିଲେ। ଫଳରେ ଥାନା ପରିସର ଲୋକାରଣ୍ୟ ହୋଇ ପଡ଼ିଥିଲା। ପରେ ନୀଳଗିରି ଏସ.ଡି.ପି.ଓ ନିର୍ମଳା ଗୋଚ୍ଛାୟତ, ଆଇ.ଆଇ.ସି ଗୋବର୍ଦ୍ଧନ ନାୟକଙ୍କ ଉପସ୍ଥିତିରେ ଉଭୟପକ୍ଷଙ୍କୁ ଡାକି ଘଟଣା ବାବଦରେ ତର୍ଜମାକରିବା ପରେ ଅଭିଯୁକ୍ତ ଦେବେନ୍ଦ୍ର ସିଂ ଚୋରି କରିଥିବା ଘଟଣାରେ ଗିରଫହେବା ସହ ଦେଇଥିବା ତିରିଶିହଜାର ଟଙ୍କା ଗ୍ରାମବାସୀମାନେ ଫେରେଇବାକୁ ସ୍ଥିର ହୋଇଥିଲା।ଚୋରି ଅଭିଯୋଗରେ ନ ୪୧୫/୨୬ ମାମଲାରେ ଦେବେନ୍ଦ୍ର ସିଂକୁ ପୋଲିସ ଗିରଫ କରିଛି। ଏଥିପୂର୍ବରୁ ଦେବେନ୍ଦ୍ର ସିଂ ଗ୍ରାମରେ ଅନେକ ଚୋରି କରିଥିବାର ଗ୍ରାମବାସୀମାନେ ଅଭିଯୋଗ ଆଣିଥିଲେ।
