ବାରିପଦା ; ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ଯେ ଦିନେ ଏଭଳି ଭୟଙ୍କର ରୂପ ନେବ, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ ଆଜି ଦିନଦ୍ୱିପହର ସମୟରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ତଥା ଅଭାବନୀୟ ହତ୍ୟାକାଣ୍ଡ । “ମୁଁ ତାକୁ ବହୁତ ଭଲ ପାଏ’ କହି ଜଣେ ସ୍ୱାମୀ ନିଜ ଦ୍ୱିତୀୟ ସ୍ତ୍ରୀର ବେକକୁ ଧାରୁଆ ଛୁରୀରେ କାଟି ହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡ଼ିହା ଛକସ୍ଥିତ ବିକାଶ ମେଡିସିନ ଷ୍ଟୋର ସମ୍ମୁଖରେ ଏହି ରକ୍ତାକ୍ତ କାଣ୍ଡ ଘଟିଛି। ଶୂଳିଆପଦା ଥାନା ଅଧୀନ ଗଉଡ଼ୁଣୀଡୁବା ଗ୍ରାମର ଗୁରା ନାଏକଙ୍କ ପୁଅ କଟିଆ ନାୟକ (୪୫) ଓ ତାଙ୍କ ଦ୍ୱିତୀୟ ସ୍ତ୍ରୀ ସୁକାନ୍ତି ନାଏକ ବାଗଡ଼ିହା ଛକ ନିକଟରେ ଏକ ଗଛ ତଳେ ବସି କଥାବାର୍ତ୍ତା ହେଉଥିଲେ। ହଠାତ୍ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏଥିରେ କଟିଆ ଉତ୍କ୍ଷିପ୍ତ ହୋଇ ନିଜ ପାଖରେ ରଖିଥିବା ଏକ ଧାରୁଆ ଛୁରୀ ବାହାର କରି ସୁକାନ୍ତିଙ୍କ ବେକକୁ ନିର୍ମମ ଭାବେ କାଟି ଦେଇଥିଲା। ବେକ କଟିଯିବା ପରେ ପ୍ରଚୁର ରକ୍ତସ୍ରାବ ମଧ୍ୟରେ ସୁକାନ୍ତି ପ୍ରାଣ ବିକଳରେ ଚିତ୍କାର କରି ଜୀବନ ବଞ୍ଚାଇବାକୁ ଲୋକଙ୍କ ନିକଟକୁ ଦୌଡ଼ି ଆସିଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଯୁବତୀ ଅତ୍ୟନ୍ତ ସାହସିକତାର ସହ ନିଜ ଚାଦରରେ ମହିଳାଙ୍କ ବେକକୁ ବାନ୍ଧି ରକ୍ତସ୍ରାବ ରୋକିବାକୁ ଚେଷ୍ଟା କରିଥିଲେ। ଖବର ପାଇ ବାରିପଦା ଟାଉନ୍ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସୁକାନ୍ତିଙ୍କୁ ଉଦ୍ଧାର କରି ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ରେ ଭର୍ତ୍ତି କରିଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତ ସ୍ୱାମୀ କଟିଆ ନାୟକଙ୍କୁ ଅଟକ ରଖି ଘଟଣାରେ ବ୍ୟବହୃତ ଛୁରୀ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି। ସର୍ବସାଧାରଣରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟଣାକୁ ନେଇ ବାରିପଦା ସହରବାସୀଙ୍କ ମଧ୍ୟରେ ତୀବ୍ର ଚାଞ୍ଚଲ୍ୟ ଓ ଭୟର ବାତାବରଣ ସୃଷ୍ଟି ହୋଇଛି।
