ନୂଆଦିଲ୍ଲୀ: ସୋମବାର ସନ୍ଧ୍ୟାରେ ଓମାନର ଲିମାହ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି। ଭାରତ ଏହି ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି। ବୈଦେଷିକ ବ୍ୟାପାର ମନ୍ତ୍ରଣାଳୟ ମଙ୍ଗଳବାର ଦିନ ସୂଚନା ଦେଇଛି ଯେ, ଏମ୍ଏସ୍ଭି ଅଲ୍ ଜୁସୁଫି ନାମକ ଏହି ଜାହାଜରେ ୧୪ ଜଣ ଭାରତୀୟ ନାଗରିକ ଥିଲେ, ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି। ମନ୍ତ୍ରଣାଳୟ କହିଛି, ଗତକାଲି ସନ୍ଧ୍ୟାରେ ଓମାନର ଲିମାହ ନିକଟରେ ଏକ ବାଣିଜ୍ୟିକ ଜାହାଜ ଏମ୍ଏସ୍ଭି ଅଲ୍ ଜୁସୁଫି ଉପରେ ହୋଇଥିବା ଆକ୍ରମଣକୁ ଆମେ ନିନ୍ଦା କରୁଛୁ। ଜାହାଜରେ ଥିବା ୧୪ ଜଣ ଭାରତୀୟଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ଜଣେ ଭାରତୀୟ ନାଗରିକ ଆହତ ହେବା ପରେ ଦୁଃଖଦାୟକ ଭାବେ ପ୍ରାଣ ହରାଇଛନ୍ତି। ବୈଦେଷିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଓମାନସ୍ଥିତ ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖିଛି ଏବଂ ଉଦ୍ଧାର ହୋଇଥିବା ଭାରତୀୟ ନାଗରିକ ତଥା ମୃତ ବ୍ୟକ୍ତିଙ୍କ ଶରୀରକୁ ଶୀଘ୍ର ସ୍ୱଦେଶ ଫେରାଇ ଆଣିବା ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛି।
ନୂଆଦିଲ୍ଲୀ କହିଛି ଯେ ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ଆକ୍ରମଣର କ୍ରମାଗତ ଘଟଣା ଗମ୍ଭୀର ଚିନ୍ତାଜନକ। ଆମେ ଉତ୍ତେଜନାକୁ ତୁରନ୍ତ ହ୍ରାସ କରିବା ଏବଂ ଏକ କୂଟନୈତିକ ସମାଧାନ ପାଇଁ ଚାଲିଥିବା ଆଲୋଚନା ସମାପ୍ତ କରିବା ପାଇଁ ଆମର ଆହ୍ୱାନକୁ ଦୋହରାଉଛୁ ଯାହା ଦ୍ୱାରା ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରି ଆସିପାରିବ ବୋଲି ବୈଦେଷିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ପରିବହନ ଏବଂ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ବନ୍ଦ ହେବା ଉଚିତ, ଏବଂ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହି ଅଞ୍ଚଳରେ ଅନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ଏବଂ ଅବାଧ ନୌଚାଳନା ଏବଂ ବାଣିଜ୍ୟ ଯଥାଶୀଘ୍ର ପୁନଃସ୍ଥାପିତ ହେବା ଉଚିତ ବୋଲି ଏହା ଏକ ବିବୃତ୍ତିରେ କହିଛି।
