କଳାହାଣ୍ଡି: କଳାହାଣ୍ଡି ଜିଲା କେଗାଁ ଥାନା ବୋର୍ଡା ଫାଣ୍ଡି ଅନ୍ତର୍ଗତ ମାଦିଗୁଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ଡକାୟତି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଦୁର୍ବୃତ୍ତମାନେ ଗ୍ରାମର ରାଜିନ୍ଦ୍ର ରଣା ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରି ପ୍ରାୟ ୫ଭରି ଓଜନର ସୁନା ଅଳଙ୍କାର ଲୁଟିନେଇଛନ୍ତି। ଏ ନେଇ ଅଭିଯୋଗ ପରେ କେଗାଁ ଥାନାରେ ଏକ ମାମଲା (ନଂ.୨୦୨/୨୬) ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ପ୍ରାୟ ୬ଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଘରେ ପଶିଥିଲେ। ସେମାନେ ରାଜିନ୍ଦ୍ର ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଛୁରିରେ ଆକ୍ରମଣ କରି ଘରୁ ସୁନା ଅଳଙ୍କାର ଲୁଟି ନେଇଥିଲେ। ପରିବାର ପକ୍ଷରୁ ପ୍ରାୟ ୫ ଭରି ସୁନା ଚୋରି ହୋଇଥିବା ଅଭିଯୋଗ କରାଯାଇଛି। ଘଟଣା ସମୟରେ ଘରେ ରାଜିନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ସହ ପୁଅ, ବୋହୂ ଏବଂ ନାତିନାତୁଣୀ ଉପସ୍ଥିତ ଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୀତାଞ୍ଜଳିଙ୍କ ଗୋଟିଏ ହାତ ଭାଙ୍ଗି ଯାଇଥିବାବେଳେ ରାଜିଦ୍ରଙ୍କ ମୁହଁରେ ଆଘାତ ଲାଗିଛି ଓ ଉଭୟ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣା ପଛରେ ପୂର୍ବ ଶତ୍ରୁତା ଥାଇପାରେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ଗୋଟିଏ ଦିନ ବିତିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ପୋଲିସ କୌଣସି ସୁରାକ ପାଇ ନ ଥିବା ପରିବାର ପକ୍ଷରୁ କୁହାଯାଇଛି ଓ ତୁରନ୍ତ ଏହାର ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଧରିବା ସହ ଲୁଟ ସାମଗ୍ରୀ ଉଦ୍ଧାର କରିବାକୁ ସାଧାରଣରେ ଦାବି ହୋଇଛି।
