ପୁରୀ: ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା । ଗିରଫ ହେଲେ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ । ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁରୀ ଚନ୍ଦନପୁର ଥାନା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୧୩ଟି ସୁନା ଚେନ୍, ଗୋଟିଏ ହାର, ୨ ହଳ ସୁନା କାନ ଫୁଲ, ଗୋଟିଏ ସୁନା ବ୍ରେସଲେଟ୍ ଜବତ କରାଯାଇଛି । ଏଥିସହ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ୧୦ଟି ମୋବାଇଲ୍ ଫୋନ୍, ୬ଟି ଭ୍ୟାନିଟି ଜବତ କରିଛି ପୋଲିସ ।ବିଶେଷ କରି ମହିଳା ମାନଙ୍କୁ ଏହି ଅଭିଯୁକ୍ତ ମାନେ ଟାର୍ଗେଟ କରୁଥିଲେ । ସ୍ପିଡ୍ ବାଇକ ବ୍ୟବହାର କରି ମହିଳାଙ୍କ ବେକରୁ ସୁନା ଚେନ୍ ଏବଂ ଭ୍ୟାନିଟି ଛଡ଼ାଇ ନେଉଥିଲେ । ୬ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ରିସିଭର ଥିବା ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖୋର୍ଦ୍ଧାର ପ୍ରଦୀପ ମଲ୍ଲ ସହିତ ସହଯୋଗୀ ମାନେ ଗିରଫ କରିଛି ପୋଲିସ ।ନୟାଗଡ଼ ଓ ବେଗୁନିଆ ଅଞ୍ଚଳରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ ଅଭିଯୁକ୍ତ । ଅନ୍ୟ ଜିଲ୍ଲାରେ ମଧ୍ୟ ଅଭିଯୁକ୍ତ ମାନେ ସକ୍ରିୟ ରହି ଛିନତାଇ କରୁଥିଲେ । ବିଭିନ୍ନ ଥାନାରେ ଅଭିଯୁକ୍ତ ମାନଙ୍କ ନାଁରେ ୧୫ଟି ମାମଲା ରହିଛି ।
