ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ପ୍ରବନ୍ଧକ ରୋମି ଭିଣ୍ଡରଙ୍କୁ ଜରିମାନା ହୋଇଛି। ଆରସିବି ବିପକ୍ଷ ଗତ ଶୁକ୍ରବାରର ମ୍ୟାଚ୍ ବେଳେ ଡଗ୍ଆଉଟ୍ରେ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବାରୁ ବିସିସିଆଇର ଦୁର୍ନୀତି ନିବାରଣ ଓ ସୁରକ୍ଷା ୟୁନିଟ୍ (ଏସିଏସ୍ୟୁ) ରୋମି ଭିଣ୍ଡରଙ୍କୁ ଚେତାବନୀ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା କରିଛି। ମୋବାଇଲ୍ ଦେଖିବା ଲାଗି ପ୍ରଥମେ ତାଙ୍କୁ ଏସିଏସୟୁ ନୋଟିସ୍ ଦେଇଥିଲା। କିନ୍ତୁ ଭିଣ୍ଡର ଦେଇଥିବା ଏହି ନୋଟିସ୍ର ଉତ୍ତର ସନ୍ତୋଷଜନକ ନଥିଲା। ଗୁଆହାଟୀରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ରୋମି ଡଗ୍ଆଉଟ୍ରେ ବସି ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବାର ଦୃଶ୍ୟ ଟେଲିଭିଜନ୍ କ୍ୟାମେରାରେ କଏଦ ହୋଇଯାଇଥିଲା। ତାଙ୍କ ପାଖରେ ଟିନ୍ଏଜ୍ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀ ବସିଥିଲେ। ଏହି ଭିଡିଓ ସୋସିଆଲ୍ ମିଡିଆରେ ବିସିସିଆଇ ନଜରକୁ ଆସିଥିଲା। ଆଇପିଏଲ୍ ଅଫିସିଆଲ୍ ୱେବ୍ସାଇଟ୍ରେ ଆଇପିଏଲ୍-୨୦୨୬ ଆଚରଣ ସଂହିତାରେ ଉଲ୍ଲେଖ ଅଛି ‘କୌଣସି ଦଳର ପ୍ରବନ୍ଧକ (ମ୍ୟାନେଜର) ଡ୍ରେସିଂ ରୁମ୍ରେ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ, ଡଗ୍ଆଉଟ୍ରେ ନୁହେଁ’। ଯେଉଁ ଧାରାକୁ ରୋମି ଉଲ୍ଲଂଘନ କରିଥିଲେ।
