ବିଂଝାରପୁର: ସାଧାରଣ ନିର୍ବାଚନରେ ଭାଜପା ଓଡ଼ିଶାରେ ସରକାର ଗଠନ କରିଛି । ଏହା ପରେ ଭାଜପା ନିଜର ସଂଗଠନ ବୃଦ୍ଧି କରିବା ସହିତ ବିଭିନ୍ନ ଦଳରୁ କର୍ମୀମାନଙ୍କୁ ନିଜ ଦଳକୁ ଆଣିବାକୁ ଉଦ୍ୟମ ଜାରିରଖିଥିବା ବେଳେ ସେଥିରେ ବହୁମାତ୍ରାରେ ସଫଳ ମଧ୍ୟ ହୋଇଛି । ସେହି କ୍ରମରେ ଯାଜପୁର ଜିଲ୍ଲାର ୭ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବିଜେଡିକୁ ୩ ଗୋଟି ଆସନରେ ସୀମିତ ରଖିବାକୁ ସକ୍ଷମ ହୋଇଛି ।ଏହି ମଧ୍ୟରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବଡ଼ଚଣା, ଧର୍ମଶାଳା, ରସୁଲପୁର, ବରୀ ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ଭାଜପା ହାତକୁ ଯାଇଛି । ଏହା ବ୍ୟତୀତ ବିଜେଡି ବିଧାୟକ ନିର୍ବାଚିତ ହୋଇଥିବା ବରୀ, ବିଂଝାରପୁର ଓ ଯାଜପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ବହୁ ଅନ୍ୟଦଳର କର୍ମୀ ଭାଜପାରେ ସାମିଲ ହୋଇଛନ୍ତି । ସେଥିମଧ୍ୟରୁ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ୟତମ ।ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟ ରାଜନୀତିରେ ବିଂଝାରପୁର ସ୍ଥାନ ସ୍ୱତନ୍ତ୍ର । ୨୦୨୪ ସାଧାରଣ ନିର୍ବାଚନରେ ୭ମ ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ଅପ୍ରତିଦ୍ୱନ୍ଦି ନେତ୍ରୀ ଭାବେ ଉଭା ହୋଇଥିବା ପ୍ରମିଳା ମଲ୍ଲିକ ଙ୍କୁ ଏହି ନିର୍ବାଚନରେ ଭାଜପା ପକ୍ଷରୁ କଡା ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିଥିଲା । ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକଙ୍କ ସହିତ ଭାଜପା ପ୍ରାର୍ଥୀ ବବିତା ମଲ୍ଲିକଙ୍କ ମଧ୍ୟରେ କଡା ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ବିବିତା ୭୧୩୨୯ ଖଣ୍ଡ ଭୋଟ ପାଇଲା ବେଳେ ପ୍ରମିଳା ୭୪୧୮୫ ଖଣ୍ଡ ଭୋଟ ପାଇଥିଲା ।ହାରଜିତ ର ବ୍ୟବଧାନ ୨୮୫୬ ଖଣ୍ଡ ରହିଥିଲା । ମାତ୍ର ୨ ପ୍ରତିଶତ ଭୋଟ ହାରଜିତ ର ନିର୍ଣ୍ଣାୟକ ସାଜିଥିଲା । ପରାଜୟ ସତ୍ୱେ ବିବିତା ନିଜର ସଂଗଠନ ବୃଦ୍ଧି କରିବା ସହିତ ଦଳୀୟ ସଂଗଠନ ରେ ନିଜର ଦକ୍ଷତା ବଳରେ ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥାନରେ ପାଇବାକୁ ସକ୍ଷମ ହୋଇଛନ୍ତି । ମାତ୍ର ପ୍ରଶାସନିକ ଅସହଯୋଗ ହେଉ କିମ୍ବା ରାଜନୈତିକ ବାଧ୍ୟବାଧକତା ହେଉ ଗତ କିଛି ଦିନ ମଧ୍ୟରେ ବିଂଝାରପୁର ରେ ପୁରୁଣା ଓ ନୂଆ ଭାଜପା କର୍ମୀ ଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ବୃଦ୍ଧି ପାଇବାରେ ଲାଗିଛି । ଭାଜପାରେ ଗୋଟିଏ ଗୋଷ୍ଠୀ ଭାଜପା ନେତ୍ରୀ ବିବିତା ଓ ଭାଜପା ନିର୍ବାଚନମଣ୍ଡଳୀ ସଂଯୋଜକ ନିରଞ୍ଜନ ବେହୁରିଆ (ନଟ) ଙ୍କ ନେତୃତ୍ୱ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଗତ ବୁଧବାର ଦିନ ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନନ୍ଦିପୁର ପଂଚାୟତ ଅନ୍ତର୍ଗତ ସୋରଡିହ ଗ୍ରାମରେ ଭାଜପା ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କ ମେଳି ବସିଥିଲା । ବରିଷ୍ଠ ଭାଜପା ନେତା ଗୋପୀନାଥ ଯେନା, ଭୁବନାନନ୍ଦ ସାମଲ, ଅଟଳବିହାରୀ ନାୟକ, ଜିଲ୍ଲା ଉପ ସଭାନେତ୍ରୀ ପ୍ରଭାତୀ ସାହୁ, କମଳିନୀ ସାହୁ,ଶଶଧର ବେହୁରିଆ, ବାବାଜୀ ମହାପାତ୍ର, ପ୍ରମୁଖ ଙ୍କ ନେତୃତ୍ୱରେ ବୈଠକରେ ଏକତ୍ରିତ ହେବା ସହିତ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଭାଜପାର ବିପର୍ଯ୍ୟସ୍ତ ସଂଗଠନ ନିମନ୍ତେ ବବିତା ଓ ନଟ ଙ୍କୁ ଦାୟୀ କରିବା ସହିତ ଏ ନେଇ ଆଗାମୀ ଦିନରେ ରାଜ୍ୟ ସଭାପତିଙ୍କ ନିକଟରେ ଅଭିଯୋଗ କରିବାକୁ ନିଷ୍ପତି ଗ୍ରହଣ କରିଥିଲେ ।
