ନୂଆଦିଲ୍ଲୀ : ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବାବର ଆଜମ ଏକ ନୂଆ ରେକର୍ଡ କରିଛନ୍ତି । ଗୋଟିଏପଟେ ଆଇପିଏଲରେ ବିରାଟ କୋହଲି ବେଙ୍ଗାଲୁରୁକୁ ଜିତାଉଥିଲେ, ଅନ୍ୟପଟେ ପେଶାୱାରକୁ ଜିତାଉଥିଲେ ବାବର ଆଜମ୍ । ପେଶାୱାର ଷ୍ଟାର ଖେଳାଳିସ ନିଜ ଦଳକୁ ବିଜୟ ଆଡ଼କୁ ନେଇଥିବାବେଳେ ନୂଆ ରେକର୍ଡ କରିଛନ୍ତି । ସେ ପାକିସ୍ତାନରେ ନମ୍ବର୧, ଏସୀଆରେ-୨ ଏବଂ ଅନ୍ତର୍ଜାତୀୟ ସ୍ତରରେ ୩ ନମ୍ବର ସ୍ଥାନରେ ରହିଛନ୍ତି । ବୁଧବାର ଖେଳାଯାଇଥିବା ମୁକାବିଲାରେ ବାବର ୫୧ ବଲରୁ ୭୧ ରନ କରିଥିଲେ । ଏହି ଅର୍ଦ୍ଧଶତକ କରିବା ପରେ ସେ ଏକ ରେକର୍ଡ କରିଛନ୍ତି । ଏହି ଅର୍ଦ୍ଧଶତକ ହେଉଛି ତାଙ୍କର ଟି-୨୦ କ୍ରିକେଟରେ ୧୦୦ତମ ଅର୍ଦ୍ଧଶତକ । ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ପାକିସ୍ତାନୀ କ୍ରିକେଟର । ୩୫୪ଟି ଟି-୨୦ ମ୍ୟାଚରେ ୧୦୦ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ପାକିସ୍ତାନର ପ୍ରଥମ ବ୍ୟାଟ୍ସମ୍ୟାନଭାବେ ଏହି କିର୍ତ୍ତୀ ଅର୍ଜନ କରିଛନ୍ତି । ବାବର ଆଜମଙ୍କ ପୂର୍ବରୁ ବିରାଟ କୋହଲି ଟି-୨୦ କ୍ରିକେଟରେ ୧୦୦ ଅର୍ଦ୍ଧଶତକ ଅତିକ୍ରମ କରିଥିଲେ। ବିରାଟଙ୍କ ନିକଟରେ ବର୍ତ୍ତମାନ ୧୦୭ ଅର୍ଦ୍ଧଶତକ ଅଛି, ସେ ୪୧୯ ଟି-୨୦ ମ୍ୟାଚ୍ ରୁ ୪୦୨ ଇନିଂସରେ ଏହି ସ୍କୋର କରିଛନ୍ତି। ବାବର ଆଜମ ଏସିଆର ଦ୍ୱିତୀୟ ବ୍ୟାଟସମ୍ୟାନ ଯିଏ ଟି-୨୦ କ୍ରିକେଟରେ ୧୦୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣରଙ୍କ ନାମରେ ୧୧୬ଟି ଅର୍ଦ୍ଧଶତକ ସହିତ ଟି-୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକର ରେକର୍ଡ ରହିଛି। ୱାର୍ଣ୍ଣର ୪୩୬ଟି ମ୍ୟାଚ୍ରେ ସର୍ବାଧିକ ଅର୍ଦ୍ଧଶତକ ମାରିବାର ରେକର୍ଡ ରଖିଛନ୍ତି, ସେ ୪୩୫ଟି ଇନିଂସରେ ୧୧୬ଟି ସ୍କୋର କରିଛନ୍ତି। ଡେଭିଡ୍ ୱାର୍ଣ୍ଣର ଏବଂ ବିରାଟ କୋହଲିଙ୍କ ପରେ ଟି-୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ପାଇଁ ବାବର ଆଜମ ବିଶ୍ୱରେ ତୃତୀୟ ସ୍ଥାନରେ ଅଛନ୍ତି।
