ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୬ ମଝିରେ ଚେନ୍ନାଇ ସୁପର କିଙ୍ଗସ୍କୁ ଲାଗିଛି ବଡ଼ ଝଟକା। ଦଳର ପ୍ରମୁଖ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦ ଆହତ କାରଣରୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ୍ ରୁ ବାଦ୍ ପଡ଼ିଛନ୍ତି। ଗତ ଏପ୍ରିଲ ୧୪ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ସମୟରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। କେକେଆର୍ ବିପକ୍ଷ ମ୍ୟାଚ୍ର ୧୭ତମ ଓଭରରେ ବୋଲିଂ କରୁଥିବା ବେଳେ ଖଲିଲ୍ ନିଜ ଡାହାଣ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିଥିଲେ। ଓଭରର ଶେଷ ବଲ୍ ପକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଅଧାରୁ ଅଟକି ଯାଇଥିଲେ ଏବଂ ପଡ଼ିଆ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ଗୁରଜାପନୀତ ସିଂହ ସେହି ଓଭରର ଅବଶିଷ୍ଟ ବଲ୍ ପକାଇଥିଲେ। ଡାକ୍ତରୀ ପରାମର୍ଶ ଅନୁଯାୟୀ, ଖଲିଲଙ୍କୁ ସୁସ୍ଥ ହେବା ପାଇଁ ଅତି କମରେ ୧୦ରୁ ୧୨ ସପ୍ତାହ ସମୟ ଲାଗିବ। ଚଳିତ ସିଜନରେ ଖଲିଲ୍ ଚେନ୍ନାଇ ପାଇଁ ସମସ୍ତ ୫ଟି ମ୍ୟାଚ୍ ଖେଳିଥିଲେ ଏବଂ ପାୱାରପ୍ଲେ’ରେ ଦଳକୁ ସଫଳତା ଦେଉଥିଲେ। ଆହତ ହେବା ପୂର୍ବରୁ ସେ କେକେଆର୍ ବିପକ୍ଷରେ ମାତ୍ର ୧୭ ରନ୍ ଦେଇ ସୁନୀଲ ନାରିନଙ୍କ ପରି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ। ଟୁର୍ଣ୍ଣାମେଣ୍ଟ ର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଖଲିଲ୍ ବାଦ୍ ପଡ଼ିବା ଉଝକ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏବେ ଦଳ ତାଙ୍କ ବିକଳ୍ପ ଭାବେ କାହାକୁ ସୁଯୋଗ ଦେଉଛି, ତାହା ଦେଖିବାକୁ ବାକି ରହିଲା।
