ଚେନ୍ନାଇ: ନିର୍ବାଚନ ପାଇଁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ଥିବା ବେଳେ, ଅଭିନେତାରୁ ରାଜନେତା ପାଲଟିଥିବା ଏବଂ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ) ସଭାପତି ବିଜୟ ଗୁରୁବାର ଦିନ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି, ଯେଉଁଥିରେ ମହିଳା ପରିବାର ମୁଖ୍ୟଙ୍କ ପାଇଁ ୨୫୦୦ ଟଙ୍କା ଆର୍ôଥକ ସହାୟତା ଏବଂ ନବଜାତ ଶିଶୁଙ୍କ ପାଇଁ ସୁନା ମୁଦି ପ୍ରମୁଖ ଗ୍ୟାରେଣ୍ଟିର ଏକ ଅଂଶ ଭାବରେ ପ୍ରତିଶ୍ରୁତି ଦିଆଯାଇଛି। ୧୦ଟି ପ୍ରମୁଖ ଗ୍ୟାରେଣ୍ଟିରେ, ସେ ପରିବାରର ମହିଳା ମୁଖ୍ୟଙ୍କ ପାଇଁ ୨୫୦୦ ଟଙ୍କା, ବର୍ଷକୁ ଛଅଟି ମାଗଣା ରନ୍ଧନ ଗ୍ୟାସ ସିଲିଣ୍ଡର, ନବଜାତ ଶିଶୁଙ୍କ ପାଇଁ ଗୋଟିଏ ସୁନା ମୁଦି ଏବଂ ସ୍କୁଲ ଯାଉଥିବା ପିଲାମାନଙ୍କ ମା’ଙ୍କ ପାଇଁ ୧୫,୦୦୦ ଟଙ୍କା ଶିକ୍ଷା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସମାବେଶକୁ ସମ୍ବୋଧିତ କରି ବିଜୟ ଲୋକମାନଙ୍କୁ ସେମାନଙ୍କ ଘର ଆଗରେ ଦଳର ହ୍ୱିସିଲ୍ ଚିହ୍ନକୁ କୋଲାମ ଭାବରେ ଆଙ୍କିବାକୁ ଅନୁରୋଧ କରିଥିଲେ। ନିର୍ବାଚନ ଇସ୍ତାହାର ବ୍ୟତୀତ, ସେ କହିଛନ୍ତି ଯେ, ତାଙ୍କ ନିର୍ବାଚନମଣ୍ଡଳୀର ବିଧାୟକ ଭାବରେ, ସେ ମାସରେ ଥରେ ଏହାକୁ ପରିଦର୍ଶନ କରିବେ ଏବଂ ଲୋକଙ୍କ ପାଇଁ ସୁଗମ ହେବେ। ଯୁବ ସଶକ୍ତିକରଣ ପାଇଁ, ଟିଭିକେ ବେକାର ସ୍ନାତକଙ୍କ ପାଇଁ ମାସିକ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା, ପାଞ୍ଚ ଲକ୍ଷ ଯୁବକ ଯୁବତୀଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଷ୍ଟାଇପେଣ୍ଡ ଇଣ୍ଟର୍ଣ୍ଣସିପ୍ ଯୋଜନା, ନୂତନ ଷ୍ଟାର୍ଟ-ଅପ୍ ଋଣ ଭାବରେ ୫ ଲକ୍ଷ ଟଙ୍କା, ବ୍ୟବସାୟ ଆରମ୍ଭ ଋଣରେ ୨୫ ଲକ୍ଷ ଟଙ୍କା ଏବଂ ସମସ୍ତ ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ଏକ ସ୍ଥିର ସମୟସାରଣୀ ପ୍ରତିଶ୍ରୁତି ଦେଇଛି। ଶିକ୍ଷା ପାଇଁ, ସେ ୧୦୦ଟି ଆବାସିକ କାମରାଜର ସ୍ୱତନ୍ତ୍ର ବିଦ୍ୟାଳୟ ମାଧ୍ୟମରେ ବିଶ୍ୱସ୍ତରୀୟ ଶିକ୍ଷା, ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ବନ୍ଧକରେ ଉଚ୍ଚଶିକ୍ଷା ଋଣ ଏବଂ ଇଓ-ଚାଳିତ ମାଗଣା ପ୍ରତିଯୋଗିତାମୂଳକ ପରୀକ୍ଷା କୋଚିଂ କେନ୍ଦ୍ର ସହିତ ସରକାରୀ ସ୍କୁଲଗୁଡ଼ିକୁ ଆଧୁନିକୀକରଣ କରିବାର ପ୍ରତିଶ୍ରୁତି ଦେଇଥିଲେ।
