ପୁରୀ : ଚକ୍ରତୀର୍ଥ ରୋଡ ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶିଶୁଙ୍କୁ ଉତ୍ତମ ଶିକ୍ଷା ଓ ଆତ୍ମନିର୍ଭରଶୀଳ ପାଇଁ କ୍ୟାରିୟର ପରାମର୍ଶ ଶୀର୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଂଯୋଗ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଯୋଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂହଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼. ଅଜିତ କୁମାର ମହାପାତ୍ର, ସମ୍ମାନିତ ଅତିଥି ? ଭାବେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଦିପ୍ତୀ ଦାସ, ଜିଲ୍ଲା ସୂଚନା ଏବଂ ଲୋକସଂପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭନାରାୟଣ ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସଂଯୋଗର ମଣ୍ଡଳ ସଂଯୋଜିକା ରୂପାଲୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନକରିଥିବା ବେଳେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଲଟାସିଂହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଶିଶୁଙ୍କ ପାଇଁ କ୍ୟାରିୟର କାଉନସେଲିଂ ବ୍ୟବସ୍ଥା, ବିଭିନ୍ନ ବୈଷୟିକ ଶିକ୍ଷା ସମ୍ବନ୍ଧରେ ଅବଗତ କରିବା ପାଇଁ ବିଷୟ ବିଶାରଦ ରୂପେ ପ୍ରେରଣାଦାୟକ ବକ୍ତା ରାମକିଶୋର ଶର୍ମା ଶିଶୁଙ୍କୁ ପରାମର୍ଶ ସେବା, କ୍ୟାରିୟର ଶିକ୍ଷା,ନିଯୁକ୍ତି, ରୋଜଗାରଭିଭିକ ବୈଷୟିକ ପାଠ୍ୟକ୍ରମ ବିଷୟରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଇଥ?ିବା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଏବଂ ପୃଷ୍ଠପୋଷକତା ଗ୍ରହଣ କରିଥିବା ମୋଟ ୭୦ ଜଣ ଛାତ୍ରଛାତ୍ରୀ, ସଂପୃକ୍ତ ଅନୁଷ୍ଠାନର ଅଧୀକ୍ଷକ, ସମ୍ପାଦକ, ପରାମର୍ଶଦାତାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଶେଷରେ ଶିଶୁ ସୁରକ୍ଷା ୟୁନିଟର ଅଣଆନୁଷ୍ଠାନିକ ଅଧିକାରୀ ସ୍ନିଗ୍ଧାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
