ଖପ୍ରାଖୋଲ: ଚୋରି ଘଟଣାରେ ଖପ୍ରାଖୋଲ ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ଚୋରି ମାମଲାର ତଦନ୍ତ କରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବାବେଳେ ଜଣେ ନାବାଳକଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ସହ ୩ଟି ପାଣି ପମ୍ପ ଏବଂ ୨ଟି ମୋଟରସାଇକେଲ ଜବତ କରାଯାଇଛି। ସୂଚନା ଅନୁସାରେ, ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ଦେବେନ୍ଦ୍ର ପଧାନ ଗତ ୬ ସେପ୍େଟମ୍ବର ୨୦୨୬ ତାରିଖରେ ଚୋରି ଘଟଣା ସମ୍ପର୍କରେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଖପ୍ରାଖୋଲ ଥାନା କେସ ନଂ-୧୮୩/୨୦୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଚୋରି ଘଟଣାରେ ମାଲପଡ଼ା ଗ୍ରାମର ଗଜାନନ ଭୁଏ (୨୧) ଏବଂ ଜଣେ ନାବାଳକଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ପରେ ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରାଯାଇଥିଲା।ମାମଲାର ପରବର୍ତ୍ତୀ ତଦନ୍ତ ସମୟରେ ବିଏନଏସ ଧାରା ୩୩୧(୪)/୩୦୫/୧୧୧(୨)(ବି)/୧୧୧(୪) ଯୋଡ଼ାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସେଗୁଡ଼ିକ ମଧ୍ୟରେ ଖପ୍ରାଖୋଲ ଥାନା କେସ ନଂ-୯୧/୨୦୨୪, ୧୮୪/୨୦୨୬ ଓ ୧୮୬/୨୦୨୬, ଲରମ୍ଭା ଥାନା କେସ ନଂ-୧୫୪/୨୦୨୬, ପାଟଣାଗଡ଼ ଥାନା କେସ ନଂ-୪୪/୨୦୨୬ ଏବଂ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା କେସ ନଂ-୪୦୬/୨୦୨୬ ରହିଥିବା ଜଣାପଡ଼ିଛି। ମାମଲାର ତଦନ୍ତ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କ ନେତୃତ୍ୱରେ ଏସଆଇ ଲିଙ୍ଗରାଜ କିଷାନ, ଏଏସଆଇ ରବୀନ୍ଦ୍ର କୁମ୍ଭାର, ଏଏସଆଇ ନାରାୟଣ ସାହୁ, କନଷ୍ଟେବଲ ବାବୁଲାଲ ମଲ୍ଲିକ, କନଷ୍ଟେବଲ ଭୋଳାଶଙ୍କର ଦେହେଲିଆ ଏବଂ ହୋମଗାର୍ଡ ଧ୍ରୁବ କୁମ୍ଭାର ପ୍ରମୁଖଙ୍କୁ ନେଇ ଏକ ଟିମ୍ ଗଠିତ ହୋଇଥିଲା । ଚୋରି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଜବତ ସାମଗ୍ରୀର ଉତ୍ସ ଏବଂ ଅନ୍ୟାନ୍ୟ ଦିଗ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି।
