ପୁରୀ: ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ଏବଂ ସ୍ଥାୟୀ ବ୍ୟବସ୍ଥା ଦାବିରେ ଆରମ୍ଭ ହୋଇଥିବା ଅହିଂସାପୂର୍ଣ୍ଣ ପଦଯାତ୍ରା ଆଜି ୧୬୧ ଦିନ ଅତିକ୍ରମ କରିଛି। ଦୀର୍ଘଦିନ ଧରି ଚାଲିଥିବା ଏହି ଜନଆନ୍ଦୋଳନରେ ପୁରୀବାସୀଙ୍କ ଆସ୍ଥା, ଭାବନା ଓ ଦାବିକୁ ସରକାରଙ୍କ ନିକଟରେ ଶାନ୍ତିପୂର୍ଣ୍ଣ ଉପାୟରେ ପହଞ୍ଚାଇବାର ପ୍ରୟାସ ଜାରି ରହିଛି। ଗତ ଏପ୍ରିଲ ୧ ତାରିଖରେ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ଶ୍ରୀମନ୍ଦିର ଅଭିମୁଖେ ଆଗକୁ ବଢ଼ୁଛି। ଗ୍ରୀଷ୍ମର ପ୍ରଚଣ୍ଡ ତାତିଠାରୁ ଆରମ୍ଭ କରି ବର୍ଷାର ପ୍ରତିକୂଳ ପରିସ୍ଥିତି—କୌଣସିଟି ମଧ୍ୟ ସତ୍ୟାଗ୍ରହୀଙ୍କ ମନୋବଳକୁ ଦୁର୍ବଳ କରିପାରିନାହିଁ। ୧୬୧ତମ ଦିନରେ ମଧ୍ୟ ଭକ୍ତ ସାଲବେଗ ପୀଠରୁ ସତ୍ୟାଗ୍ରହୀମାନେ ଏକାଠି ହୋଇ ପଦଯାତ୍ରା କରିଥିଲେ।

ଶ୍ରୀମନ୍ଦିର ନିକଟରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଦାବିର ସୁବିଚାର ଓ ଶୀଘ୍ର ସମାଧାନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଆମର ଲଢ଼େଇ କୌଣସି ବ୍ୟକ୍ତି କିମ୍ବା ସରକାରଙ୍କ ବିରୋଧରେ ନୁହେଁ। ପୁରୀବାସୀଙ୍କ ଶ୍ରୀମନ୍ଦିର ସହ ଥିବା ଭାବନାତ୍ମକ ସମ୍ପର୍କକୁ ଦୃଷ୍ଟିରେ ରଖି ଏକ ସୁବ୍ୟବସ୍ଥିତ ଓ ସ୍ଥାୟୀ ସମାଧାନ ଆମର ଦାବି। ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗର ସମାଧାନ ହେଉ ବୋଲି ଆମେ ଚାହୁଁଛୁ।ଏହି ଅବସରରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ଅମରେନ୍ଦ୍ର ପାଇକରାୟ, ନୃସିଂହନାଥ ନାୟକ, ଅରୁଣା ପଟ୍ଟନାୟକ, ସନ୍ଧ୍ୟାରାଣୀ ମିଶ୍ର, ପ୍ରଣତୀ ରାୟ, ମମତା ଦାସ, ନିହାରିକା ତ୍ରିପାଠୀ, ମମତା ସ୍ୱାଇଁ, ରମେଶ ଚନ୍ଦ୍ର ମହାନ୍ତି, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଯାଦବାନନ୍ଦ ରାୟ, ସନ୍ତୋଷ ସେନାପତି, ପ୍ରକାଶ ଚନ୍ଦ୍ର ନାୟକ, ଅଭିମନ୍ୟୁ ରାୟଗୁରୁ, ଲିଙ୍ଗରାଜ ସାହୁ, ବରୁଣ ମହାପାତ୍ର, କାଶୀନାଥ ସାହୁ, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।

ସତ୍ୟାଗ୍ରହୀମାନେ କହିଛନ୍ତି ଯେ, ୧୬୧ ଦିନର ଏହି ଯାତ୍ରା ଏକ ଦିନ କିମ୍ବା ଏକ ଘଟଣାକୁ କେନ୍ଦ୍ର କରି ନୁହେଁ। ପୁରୀବାସୀଙ୍କ ଦୀର୍ଘଦିନର ଆକାଂକ୍ଷା ଓ ଶ୍ରୀମନ୍ଦିର ସହ ସେମାନଙ୍କର ଆତ୍ମିକ ସମ୍ପର୍କକୁ ସମ୍ମାନ ଦେବା ଏହାର ମୂଳ ଉଦ୍ଦେଶ୍ୟ। ସେଥିପାଇଁ ସରକାର ଏହି ପ୍ରସଙ୍ଗକୁ ସମ୍ବେଦନ ଶୀଳତାର ସହ ବିଚାର କରି ଏକ ଗ୍ରହଣଯୋଗ୍ୟ ସମାଧାନ ବାହାର କରନ୍ତୁ ବୋଲି ଦାବି ହୋଇଛି। ଦିନ ବଢ଼ୁଛି, କିନ୍ତୁ ଦାବିର ସ୍ୱର ନିରବ ହୋଇନାହିଁ। ୧୬୧ ଦିନର ପଦଯାତ୍ରା ଆଜି ଏକ ସଂକଳ୍ପର ପ୍ରତୀକ ସତ୍ୟରେ ଅଟଳ, ଅହିଂସାରେ ଅବିଚଳ। ପୁରୀବାସୀଙ୍କ ଅଧିକାର ପାଇଁ ଯାତ୍ରା ଜାରି ରହିବ।
