ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଚିତ୍ରକୁଟ ଜିଲ୍ଲାର ଏକ ଗାଁର ଜଣେ ୧୭ ବର୍ଷୀୟା ଦଳିତ ଝିଅ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛି। ହୋଲି ଦିନ ୩ ଜଣ ସ୍ଥାନୀୟ ଯୁବକଙ୍କ ସହ ଜଡିତ ଏକ ଗଣଦୁଷ୍କର୍ମ ମାମଲାରେ ପୋଲିସ ନିଷ୍କ୍ରିୟତା ଯୋଗୁଁ ସେ ଏହି ପଦକ୍ଷେପ ନେଇଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ପିତାମାତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରାରମ୍ଭିକ ଅଭିଯୋଗରେ କେବଳ ବଳପୂର୍ବକ ରଙ୍ଗ ପ୍ରୟୋଗ ବିଷୟରେ ଉଲ୍ଲେଖ କରାଯାଇଛି। ଚିତ୍ରକୁଟ ପୋଲିସ ଅଧିକ୍ଷକ ଅରୁଣ କୁମାର ସିଂହ ବୁଧବାର କହିଛନ୍ତି ଯେ ମଙ୍ଗଳବାର ଘଟଣା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ତଥ୍ୟ ଅନୁଯାୟୀ, ଝିଅର ମା’ ହୋଲିରେ ଜୋରଜବରଦସ୍ତ ରଙ୍ଗ ପ୍ରୟୋଗ ବିଷୟରେ ମୌଖିକ ଅଭିଯୋଗ କରିଥିଲେ କିନ୍ତୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସ୍ପଷ୍ଟ ଭାବରେ ଅନୁରୋଧ କରିଥିଲେ। ପିତାମାତା ଏହି ମର୍ମରେ ଏକ ଲିଖିତ ବୟାନ ଏବଂ ରେକର୍ଡିଂ ଭିଡିଓ ସାକ୍ଷ୍ୟ ମଧ୍ୟ ଦାଖଲ କରିଥିଲେ, ଯାହା ବର୍ତ୍ତମାନ ସରକାରୀ ରେକର୍ଡର ଅଂଶ। ଝିଅଟିର ମୃତ୍ୟୁ ପରେ ପୋଲିସ ତାଙ୍କ ପରିବାରର ଏକ ନୂତନ ଅଭିଯୋଗ ଆଧାରରେ ତିନି ଜଣ ନାବାଳକ ପୁଅଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୭୦ (ସାମୂହିକ ବଳାତ୍କାର) ଏବଂ ଧାରା ୧୦୮ (ଆତ୍ମହତ୍ୟା ପାଇଁ ପ୍ରୋତ୍ସାହନ) ସହିତ ଅନ୍ୟାନ୍ୟ ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରିଛି। ସିଂହ କହିଛନ୍ତି ଯେ ତଦନ୍ତ ଚାଲିଛି ଏବଂ ଅବହେଳା ପ୍ରଦର୍ଶନ କରୁଥିବା ଯେକୌଣସି ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଏହି ସମୟରେ, ଚିତ୍ରକୂଟ ସଦରର ସମାଜବାଦୀ ପାର୍ଟି ବିଧାୟକ ଅନିଲ ପ୍ରଧାନ ଶୋକସନ୍ତପ୍ତ ପରିବାରକୁ ଭେଟି ପୋଲିସ ଉପରେ ଗଣବଳାତ୍କାର ଘଟଣାକୁ ଚାପି ଦେବାର ଅଭିଯୋଗ ଆଣିଛନ୍ତି। ସେ ପରିବାର ପାଇଁ ଆର୍ôଥକ ସହାୟତା, ଆଇନଗତ ସୁରକ୍ଷା ଏବଂ ତ୍ରୁଟିପୂର୍ଣ୍ଣ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
