ବାରିପଦା; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତି ଉଦଳା ସବ-ଡିଭିଜନରେ କାର୍ଯ୍ୟରତ ଥିଲେ ଏବଂ ପରବର୍ତ୍ତୀ ସମୟରେ ବାଲେଶ୍ୱର ଓଏଲଆଇସି ଡିଭିଜନରେ ଅବସ୍ଥାପିତ ହୋଇଥିଲେ । ଜେଇ ଶ୍ରୀ ମହାନ୍ତି ଏବଂ ତାଙ୍କ ପତ୍ନୀଙ୍କ ନାମରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ନିୟମିତ ରୋଜଗାର ଠାରୁ ୧୨୩% ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କେସ ନଂ-୨୧/୨୦୨୬ ମୂଳେ ଏକ ନୂତନ ମାମଲା ରୁଜୁ କରାଯାଇଛି । ତଦନ୍ତ ସମୟରେ ତାଙ୍କ ନିକଟରୁ ବ୍ୟାପକ ବେଆଇନ ସମ୍ପତ୍ତି ଠାବ ହେବା ପରେ ଭିଜିଲାନ୍ସ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରି ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତକୁ ଚାଲାଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ୬ ତାରିଖରେ ଜଣେ ଠିକାଦାରଙ୍କ ବକେୟା ବିଲ ପାସ କରାଇଦେବା ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ କେସ ନଂ-୦୧/୨୦୨୬ ମୂଳେ ତାଙ୍କୁ ପୂର୍ବରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏବେ ପୁଣି ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
