ପୁରୀ: ଆସିଗଲା ପାର୍ବଣ ଋତୁ । ଭାଦ୍ରବ ମାସ ଚତୁର୍ଥୀ ଦିନ ଗଜାନନ ଧରାବତରଣ କରିବେ । ସବୁ ବର୍ଷ ପରି ଚଳିତବର୍ଷ ମଧ୍ଯ
ମୂର୍ତ୍ତି ନିର୍ମାଣ କାମ ଯୋରସୋରରେ ଆଗେଇ ଚାଲିଛି । ଏଥିପାଇଁ ପୁରୀ ସହରର ଅଠରନଳା, କୁମ୍ଭାରପଡା,ଚାରିନଳା, ଜେନାସାହି ଓ ମାଟିଆପଡା ସମେତ ବିଭିନ୍ନ ସ୍ଥାନରେ ପୁରୁଷାନୁକ୍ରମେ ମାଟିମୂର୍ତ୍ତି କାରିଗର ମାନେ ଗଣେଶ ମୂର୍ତ୍ତି ତିଆରି କରୁଥିବା ଦେଖିବାକୁ ମିଳିଥିଲା । ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ନଡା, ସୁତୁଲି,ବାଉଁଶ, ମାଟି, ରଙ୍ଗ ଓ ଠାକୁରଙ୍କ ବସ୍ତ୍ର ଆଦି ସରଞ୍ଜାମରେ ମୂର୍ତ୍ତି ନିର୍ମାଣ କରୁଛନ୍ତି । ଛୋଟ ଗଣେଶ, ବଡ ଗଣେଶ, ବସିଥିବା ଓ ଠିଆ ହୋଇଥିବା ଗଣେଶ, ନୂଆ ଡିଜାଇନ ଡ୍ରାଗନ ଗଣେଶ ମୂର୍ତ୍ତି ନିର୍ମାଣ କରୁଛନ୍ତି । ଆଉ ଅଳ୍ପ ଦିନ ପରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା ଥିବାରୁ ମୂର୍ତ୍ତି କାରିଗର ମାନେ ଦିନରାତି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି । ବଡ ଓ ଛୋଟ ଗଣେଶ ବରାଦ ରଖିଥିବା ଓ ବିକ୍ରି କରିବା ପାଇଁ ମୂର୍ତ୍ତି ଅଧିକାଂଶ ରଙ୍ଗ କାର୍ଯ୍ଯ କାମ ଆପତତଃ ସରିବା ଉପରେ । ରଙ୍ଗବେରଙ୍ଗ ର ମୂର୍ତ୍ତି ଧାଡିକି ଧାଡି ରଖାଯାଇଛି ।

ସରଞ୍ଜାମର ଦର ବୃଦ୍ଧି ଓ ଆଜିକାଲି ଆସୁଥିବା ପ୍ଲାଷ୍ଟର ପ୍ଯାରିସ ମୂର୍ତ୍ତି ଯୋଗୁ କାରିଗରଙ୍କ ସମସ୍ଯା ଦେଖାଦେଇଛି । ଚଳିତବର୍ଷ ଗ୍ରାହକଙ୍କ ପସନ୍ଦ ମୁତାବକ ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି କାରିଗର । ଏଥର ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି କାରିଗର । ପାର୍ବଣ ଋତୁ ଆସିଲେ ମୂର୍ତ୍ତି ନିର୍ମାଣ କରି ଦୁଇପଇସା ରୋଜଗାର କରୁଛନ୍ତି । ଜଗନ୍ନାଥ ପରିଡା,ଅର୍ଜୁନ ପରିଡା, ସୁକାନ୍ତ ପରିଡା, ଉପେନ୍ଦ୍ର ଦାସ ଓ ସୁଶାନ୍ତ ଦାସଙ୍କ ସମେତ ଅନ୍ଯ ସହଯୋଗୀ କାରିଗର ମାନେ ସହଯୋଗ କରୁଛନ୍ତି । କୌଳିକ ବୃତ୍ତି ନଛାଡି ମାଟି ମୂର୍ତ୍ତିରେ ନିମଗ୍ନ ରହିଛନ୍ତି କାରିଗର । ପରମ୍ପରା ଅନୁଯାଇ ମାଟି ନିର୍ମିତ ମୂର୍ତ୍ତି ପୂଜା କରିବା ବିଧି ରହିଛି । କାରିଗରଙ୍କ ଯାଦୁକାରୀ ସ୍ପର୍ଶରେ ମାଟିର ଗଣେଶ ମୂର୍ତ୍ତି ଜୀବନ୍ତ ରୂପ ନିଏ । ମହାପ୍ରଭୁଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ମାଟିରେ ଜନ୍ମଗ୍ରହଣ କରି କୌଳିକ ବୃତ୍ତି କରି ମାଟିରେ ଦେବାଦେବୀଙ୍କ ଜୀବନ୍ତ ମୂର୍ତ୍ତି ପିଢି ପରେ ପିଢି ନିର୍ମାଣ କରି ସେମାନେ ନିଜକୁ ସମର୍ପିତ କରିଛନ୍ତି ।
