ନୂଆଦିଲ୍ଲୀ : ଭାରତ ଏବଂ ଜାପାନ ମଧ୍ୟରେ ଖେଳାଯିବ ଏକ ଐତିହାସିକ କ୍ରିକେଟ୍ ମ୍ୟାଚ୍। ଜାପାନ ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚ୍ର କ୍ରିଡ଼ାସୂଚୀ ଶୁକ୍ରବାର ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟୋଲବୋଡ଼। ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଉତ୍ସବର ଶୁଭାରମ୍ଭ ଅବସରରେ ଏହି ମ୍ୟାଚ୍ ଖେଳାଯିବ। ୨୦୨୬ ସେପ୍େଟମ୍ବର ୨୨ ତାରିଖରେ ଜାପାନର ତୋଚିଗି ପ୍ରଦେଶସ୍ଥିତ ସାନୋ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ଟି୨୦ ଇଣ୍ଟରନ୍ୟାସନାଲମ୍ୟାଚ୍ ଖେଳାଯିବ। ଏହି ମ୍ୟାଚକୁ ନେଇ ବିସିସିଆଇ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଉତ୍ସବର ଶୁଭାରମ୍ଭ ପାଇଁ ଉଭୟ ଦେଶର ପୁରୁଷ ଦଳ ଏକ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିବେ। ଭାରତ ଏବଂ ଜାପାନ ମଧ୍ୟରେ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ଅର୍ଥାତ୍ ପୂର୍ବରୁ କୌଣସି ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ ଉଭୟ ଦଳପରସ୍ପର ବିପକ୍ଷରେ ଖେଳିନାହାନ୍ତି। ଗୋଟିଏ ପଟେ ବିଶ୍ୱର ଶ୍ରେଷ୍ଠ କ୍ରିକେଟ୍ ଦଳଗୁଡ଼ିକ ମଧ୍ୟରେ ଥିବା ଟିମ୍ ଇଣ୍ଡିଆ ରହିବ। ଅନ୍ୟପଟେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ବେଶୀ ନାଁ କରିପାରିନଥିବା ଜାପାନ ଦଳ ରହିବ। ତେଣୁ ଏହି ମୁକାବିଲା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବେଶ୍ ରୋଚକ ହେବାକୁ ଯାଉଛି। ବିସିସିଆଇ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏହି ମ୍ୟାଚ୍ ‘ସ୍ପୋର୍ଟ ୭୫’ ପଦକ୍ଷେପର ପ୍ରଥମ ପର୍ଯ୍ୟାୟ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନରପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଥିଲା। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କ୍ରୀଡ଼ା କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ଏବଂ ସହଯୋଗକୁ ବଢ଼ାଇବା। ଏଥିସହ ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତର ଆକାଂକ୍ଷାକୁ ମଧ୍ୟ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଉଛି। ଭାରତ-ଜାପାନ ମ୍ୟାଚ୍କୁ ନେଇ ବିସିସିଆଇ ସଚିବ ଦେବଜିତ ସୈକିଆକହିଛନ୍ତି ଯେ, ଏହି ଐତିହାସିକ ଅବସରର ଅଂଶ ହୋଇ ବୋର୍ଡ ବେଶ୍ ଖୁସି। ଭାରତ ଓ ଜାପାନର ପୁରୁଷ ଦଳ ଜାପାନରେ ଏକ ସ୍ୱତନ୍ତ୍ର ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ପାଇଁ ଏକାଠି ହେବେ। ତାଙ୍କ କହିବା ଅନୁଯାୟୀ, ଏହା କ୍ରିକେଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏହା ମାଧ୍ୟମରେ ଭାରତୀୟ ଦଳ ଏକ ନୂଆ ସ୍ଥାନକୁ ଯିବାର ସୁଯୋଗ ପାଇବା ସହ ଜାପାନ ଏବଂ ପୂର୍ବ ଏସିଆରେ ଅଧିକ ଲୋକଙ୍କ ନିକଟରେ କ୍ରିକେଟକୁ ପହଞ୍ଚାଇବାର ସୁଯୋଗ ମିଳିବ।
