ଶିମ୍ଲା : ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍ ଟେବୁଲ ଟେନିସ ଚାମ୍ପିୟନଶିପ୍ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଟୁର୍ନାମେଣ୍ଟ୍ କୁ ଏସିଆନ ୟୁଥ୍ ଚାମ୍ପିୟନଶିପ୍ ପାଇଁ ଏକ କ୍ୱାଲିଫାୟର ଭାବେ ବିବେଚନା କରାଯାଉଛି। ୧୯ ବର୍ଷରୁ କମ୍ କାଟେଗୋରୀ ବାଳକ ସିଙ୍ଗଲ୍ସ ଫାଇନାଲରେ ଭାରତର ପ୍ରିୟାନୁଜ ଭଟ୍ଟାଚାର୍ଯ୍ୟ ନିଜ ଦେଶର ପୁନିତ୍ ବିଶ୍ୱାସଙ୍କୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ଡବଲ୍ସରେ ଏମ୍ଆର ବାଲ୍ମୁରୁଗାନ ଓ ମେହାନ ସେନ୍ଥିଲ ବାଂଲାଦେଶର ଅବୁଲ ହାସିବ ଓ ନାଫିଜ ଇକ୍ବଲଙ୍କୁ ପରାସ୍ତ କରି ଟାଇଟଲ ବିଜୟୀ ହୋଇଛନ୍ତି। ୧୫ବର୍ଷରୁ କମ୍ ବିଭାଗ ଫାଇନାଲରେ ଆଦିତ୍ୟ ଦାସ ଭାରତର ଅକ୍ଷୟ କିରିକାରାଙ୍କୁ ପରାସ୍ତ କରିଛନ୍ତି। ଡବଲ୍ସ ଟାଇଟଲ ମଧ୍ୟ ଘରୋଇ ଯୋଡ଼ି ହାତେଇଛନ୍ତି। ରିଶାନ ଛଟ୍ଟୋପାଧ୍ୟାୟ ଓ ଆକାଶ ରାଜାଭେଲୁ ୫ ଗେମ୍ ବିଶିଷ୍ଟ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନେପାଳକୁ ହରାଇ ଦେଇଛନ୍ତି। ବାଳିକା ବିଭାଗର ୧୯ ବର୍ଷରୁ କମ୍ ଏକ ଅଲ-ଇଣ୍ଡିଆ ଫାଇନାଲରେ ଜେନିଫର ଭର୍ଗିଜ ଅନନ୍ୟା ମୁରଲୀଧରନଙ୍କୁ ପରାସ୍ତ କରିଥିବା ବେଳେ ଆହୋନା ରୟଙ୍କୁ ପରାସ୍ତ କରି ଅଙ୍କୋଲିକା ଚକ୍ରବର୍ତ୍ତୀ ୧୫ ବର୍ଷରୁ କମ୍ ଟାଇଟଲ ହାସଲ କରିଛନ୍ତି। ଭାରତ ଉଭୟ ବାଳିକା ଡବଲ୍ସ କାଟେଗୋରୀରେ କ୍ଲିନ ସୁଇପ୍ ହାସଲ କରିଛି। ମିକ୍ସଡ ଡବଲ୍ସ ଇଭେଣ୍ଟେ୍ ରେ ମଧ୍ୟ ଭାରତର ଆଧିପତ୍ୟ ଦେଖିବାକୁ ମିଳିଥିଲା। ପ୍ରିୟାଂଶୁ ଓ ଜେନିଫର ୧୯ ବର୍ଷରୁ କମ୍ ଫାଇନାଲ ଜିତିଥିବା ବେଳେ ଅଙ୍କୋଲିକା ଚକ୍ରବର୍ତ୍ତୀଙ୍କୁ ସାଥୀ କର ଆଦିତ୍ୟ ଦାସ ଗୋଟିଏ ହେଲେ ଗେମ୍ ନ ହାରି ୧୫ ବର୍ଷରୁ କମ ଟାଇଟଲ ଜିତିଛନ୍ତି।
