ବାରିପଦା /କରଞ୍ଜିଆ: କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲି ମଦ ଓ ପୋଚ ଜବତ କରି ନଷ୍ଟ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ମହୁଲି ମଦ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶ କ୍ରମେ କରଞ୍ଜିଆ ଅବକାରୀ ଥାନା ଅଧିକାରୀ ଜୟନ୍ତୀ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଞ୍ଜନ ନାୟକ,ଶୁକୃଳି ଅବକାରୀ ଓଆଇସି ମୋନାଲିସା ସାମଲ,ଠାକୁରମୁଣ୍ଡା ଓଆଇସି ଭାରତୀ ନାୟକ,କରଞ୍ଜିଆ ଏଏସଆଇ ଫୁଲମଣୀ ନାଏକଙ୍କ ସହିତ ଏକ ଦଳ ଆଜି ଜରାସାହି, ମାଝିସାହି ଓ ଦେଓଗାଁ ଗ୍ରାମ ନିକଟରେ ଥିବା ଜଙ୍ଗଲ, ପାହାଡ଼ ଓ ନାଳର ଉଭୟ ପାର୍ଶ୍ୱରେ ମହୁଲି ମଦ ରନ୍ଧାଯାଉଥିବା ସ୍ଥାନ ଗୁଡିକରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଜଙ୍ଗଲ ମାନଙ୍କରେ ବଡ ବଡ ଗାଢ଼ କରାଯାଇ ପୋଚ ଡବା ଗୁଡ଼ିକ ଲୁଚାଇ ରଖାଯାଇଥିବା ଠାବ କରିବା ପରେ ସମୁଦାୟ ୬ ହଜାର ୮ ଶହ କିଲୋ ମହୁଲ ପୋଚ ଏବଂ ୪ ଶହ ୮୦ ଲିଟର ମହୁଲି ମଦ ଜବତ ପରେ ନଷ୍ଟ କରିଥିଲେ। ଏନେଇ ଅବକାରୀ ଥାନାରେ ୮/୨୬,୨୭ ଓ ୯/୨୬,୨୭ ନମ୍ୱରରେ ଦୁଇଗୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରିଥିବା ଓ ଏଭଳି ଚଢ଼ାଉ ଆଗକୁ ଆହୁରି ଜୋରଦାର କରାଯିବ ବୋଲି କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି।
