ବାରିପଦା /ସାହାରପଡା ; କେନ୍ଦୁଝର ଜିଲା,ପାଟଣା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ସମ୍ପର୍କୀୟ କକାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତିଳବେଡ଼ା ଗ୍ରାମର ସୁରେନ୍ଦ୍ର ମୁଣ୍ଡା (୩୫)।ପୋଲିସ ସୂଚନା ଅନୁଯାୟୀ, ଗତ ଶନିବାର ନାବାଳିକା ଜଣକ କଲେଜରୁ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ସାହାରପଡ଼ା ଛକ ନିକଟରେ ଅଭିଯୁକ୍ତ ସମ୍ପର୍କୀୟ କକା ତାଙ୍କୁ ସ୍କୁଟିରେ ଘରେ ଛାଡ଼ିଦେବାକୁ କହିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ସାଇକେଲ ରଖି ତାଙ୍କୁ ସ୍କୁଟିରେ ବସାଇବା ପରେ ଗାଁ ଅଭିମୁଖେ ନ ଯାଇ ଏକ ନିଛାଟିଆ ଜଙ୍ଗଲ ରାସ୍ତାକୁ ନେଇଯାଇଥିବା ର ଅଭିଯୋଗ ରହିଛି। ସେଠାରେ ନାବାଳିକାଙ୍କ ସହ ଅସଦାଚରଣ ସହ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା କୌଶଳକ୍ରମେ ସେଠାରୁ ଖସି ଘରକୁ ଫେରି ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ। ପରେ ପରିବାର ପକ୍ଷରୁ ପାଟଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ସମ୍ପୃକ୍ତ ସୁରେନ୍ଦ୍ର ମୁଣ୍ଡାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
