ବାଲିଅନ୍ତା: ଅଭିଯୋଗକାଣୀ ରିନୁ ନାୟକଙ୍କ ଲିଖିତ ଅଭଯୋଗ ଆଧାରରେ ଧଉଳି ଥାନାରେ ପାର୍ଟନରସିପ୍ ରେ ହୋଟେଲ୍ ବ୍ୟବସାୟ ଆରମ୍ଭ କରିବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ହେବା ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୨୬.୧୨.୨୦୨୫ ତାରିଖରେ ୟୁନିଟ୍-୬ ଗଙ୍ଗାନଗର ଅଞ୍ଚଳରେ “ସ୍କାଏପୋର୍ଟ ଇନ୍’ ନାମକ ଏକ ହୋଟେଲ୍ ବ୍ୟବସାୟ ଆରମ୍ଭ କରିବା ପାଇଁ ଅଭିଯୋଗକାରିଣୀ ଓ ଅଭିଯୁକ୍ତ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଦାନପୁର ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ(୩୬)ଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲା। ପ୍ରଶାନ୍ତ ଲିଙ୍ଗରାଜ ଥାନା ଅନ୍ତର୍ଗତ ଓଲ୍ଡଟାଉନ୍ ୧୯୬୭/୪୮ ରେ ରୁହନ୍ତି। ଚୁକ୍ତିନାମା ବାବଦରେ ଅଭିଯୋଗକାରିଣୀ ଚେକ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ମାତ୍ର ଟଙ୍କା ନେବା ପରେ ଅଭିଯୁକ୍ତ ପ୍ରଶାନ୍ତ ହୋଟେଲ୍ ବ୍ୟବସାୟ ଆରମ୍ଭ କରିନଥିଲେ କିମ୍ବା ଆବଶ୍ୟକୀୟ କାଗଜପତ୍ର କାମ କରିନଥିଲେ। ଅଭିଯୋଗକାରିଣୀ ଟଙ୍କା ଫେରାଇବାକୁ ଦାବି କରିବାରୁ ଅଭିଯୁକ୍ତ ତାଙ୍କୁ ପୋଲିସ ନିକଟକୁ ଗଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ପରବର୍ତ୍ତୀ ସମୟରେ ପୋଲିସ ହସ୍ତକ୍ଷେପ ଫଳରେ ଅଭିଯୋଗକାରିଣୀଙ୍କୁ ୨,୦୫,୦୦୦/- ଟଙ୍କା ଫେରସ୍ତ ମିଳିଥିବା ବେଳେ ବଳକା ୯୫,୦୦୦/- ଟଙ୍କା ଅଭିଯୁକ୍ତ ଜାଣିଶୁଣି ଆତ୍ମସାତ୍ କରିଥିଲା। ଧଉଳି ପୋଲିସ ଏହି ଆର୍ôଥକ ଠକେଇର ତଦନ୍ତ କରି ବ୍ୟାଙ୍କ୍ ଷ୍ଟେଟମେଣ୍ଟ୍, ଚେକ୍ ଏବଂ ଚୁକ୍ତିନାମା ଆଦି ପ୍ରମାଣ ଜବତ କରିଛି। ତଦନ୍ତ ବେଳେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଅଭିଯୁକ୍ତ ପ୍ରଶାନ୍ତ ସମାନ ଢଙ୍ଗରେ ଅନ୍ୟ ଏକ ଠକେଇ ମାମଲାରେ ବଡ଼ଗଡ଼ ଥାନା ପୋଲିସ ଦ୍ୱାରା ପୂର୍ବରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇସାରିଛି। ସଂଗୃହୀତ ପ୍ରମାଣ ଆଧାରରେ ଅଭିଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
